ଭୁବନେଶ୍ୱର, (୨୯ ମାର୍ଚ୍ଚ):
କଳିଙ୍ଗ ଗୌରବ ପୁରସ୍କାର ଟ୍ରଷ୍ଟ ସହିତ ମିଳିତ ଭାବରେ କଳିଙ୍ଗ ଗୌରବ ଫାଉଣ୍ଡେସନ୍ (KGF) ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ “ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା” ଶୀର୍ଷକ ଉପରେ ଏକ ବିଶାଳ ମେଗା କନକ୍ଲେଭ୍ ଆୟୋଜିତ ହେବ।
ଏହି କାର୍ଯ୍ୟକ୍ରମରେ ୩୧ ଜଣ ଶିକ୍ଷକ, ୧୩ ଜଣ ଏନ୍ଜିଓ ସ୍ୱେଚ୍ଛାସେବକ ଏବଂ ୨୫ ଜଣ ମହିଳାଙ୍କୁ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯିବ।
ଭୁବନେଶ୍ୱରସ୍ଥିତ ସାମାଜିକ-ସାଂସ୍କୃତିକ ସଂଗଠନ ‘ଜାତୀୟ ମିଡିଆ କନକ୍ଲେଭ୍’ ଓ “I Woman of Substance Award 2026”ର ୧୩ତମ ସଂସ୍କରଣ ସହିତ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଏହାର ମୂଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ବିଭିନ୍ନ ମଞ୍ଚର ନେତା, ବୁଦ୍ଧିଜୀବୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏକତ୍ର କରି ଅନ୍ତର୍ଭୁକ୍ତ ବିକାଶ ଓ ରାଷ୍ଟ୍ର ଗଠନରେ ମହିଳାଙ୍କ ଭୂମିକା ଉପରେ ଆଲୋଚନା କରିବା।
ଶନିବାର ସନ୍ଧ୍ୟା ୫ଟାରେ ଭୁବନେଶ୍ୱରର ଫରେଷ୍ଟ ପାର୍କ ସ୍ଥିତ ସୁଶ୍ରୁତ ହସ୍ପିଟାଲ୍ ଓ ଟ୍ରମା କେୟାରର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ମହାସଚିବ ଡ଼ଃ ଚିଦାତ୍ମିକା ଖଟୁଆ କହିଥିଲେ ଯେ, ଏହି ମେଗା କନକ୍ଲେଭ୍ ମହିଳାଙ୍କର ପରିବର୍ତ୍ତନମୂଳକ ଭୂମିକାକୁ ଆଲୋକିତ କରିବା ସହିତ ଏକ ସମାନ୍ତାମୂଳକ ଓ ବିକଶିତ ଭାରତ ଗଠନ ପାଇଁ ଚର୍ଚ୍ଚାକୁ ପ୍ରୋତ୍ସାହନ ଦେବ।
KGF ସୂତ୍ରରୁ ଜଣାପଡ଼ିଛି ଯେ, ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସେମାନଙ୍କ ମଧ୍ୟରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଜେପି ଜାତୀୟ ମୁଖପାତ୍ର ଡ଼ଃ ସମ୍ବିତ ପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ହରିୟାଣା ଗ୍ରାମୀଣ ବିକାଶ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ ବୀରେନ୍ଦ୍ର ସିଂହ ଚୌହାନ, ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ବିନୟ କୁମାର ମଣ୍ଡଳ ଓ ଲିଡ୍ ଇଣ୍ଡିଆ ଫାଉଣ୍ଡେସନର ସଭାପତି ଡ଼ଃ ହରି କୃଷ୍ଣ ମାରମ୍ ପ୍ରମୁଖ ଅତିଥି ଭାବେ ଯୋଗଦେବାର ସମ୍ଭାବନା ରହିଛି।
ସାମ୍ବାଦିକମାନଙ୍କ ସହ କଥାହୋଇ ଜାତୀୟ ମିଡିଆ କନକ୍ଲେଭର ଅଧ୍ୟକ୍ଷ ଡ଼ଃ ପବିତ୍ର ମୋହନ ସାମନ୍ତରାୟ, KGF ସଭାପତି ରୁଦ୍ରନାରାୟଣ ସାମନ୍ତରାୟ ଓ ସଂଯୋଜକ ଡ଼ଃ ରଜନୀକାନ୍ତ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ।
ଗତ କିଛି ବର୍ଷ ଧରି କଳିଙ୍ଗ ଗୌରବ ଫାଉଣ୍ଡେସନ୍ ସମାଜସେବା, ମହିଳା ସଶକ୍ତିକରଣ, କଳା ଓ ସଂସ୍କୃତି, ଶିକ୍ଷା ଓ ସ୍ୱାସ୍ଥ୍ୟ ମେଦାନରେ ସକ୍ରିୟ ଭୂମିକା ନେଇଆସୁଛି। ପୁରସ୍କାର ସମାରୋହ, ସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ ପଦକ୍ଷେପ ମାଧ୍ୟମରେ ସଂଗଠନ ଉଲ୍ଲେଖନୀୟ କାମ କରୁଛି।
ଏହି ବର୍ଷ, KGF ଏହି ମେଗା କନକ୍ଲେଭ୍କୁ ବିଶେଷ ଭାବେ ମହିଳାମାନଙ୍କୁ ଉତ୍ସର୍ଗ କରିଛି।
