ଆମେରିକାରେ ଅଦିନରେ ରଥଯାତ୍ରା ଆୟୋଜିତ ନେଇ କ୍ଷୁବ୍ଧ ପ୍ରବାସୀ ଓଡ଼ିଆ ଓ ଶ୍ରଦ୍ଧାଳୁ । ଇସ୍କନ ବିରୋଧରେ ଗର୍ଜିଲେ ବଲ୍ଟିମୋରର ଜଗନ୍ନାଥ ପ୍ରେମୀ । ମେ’ ମାସରେ ରଥଯାତ୍ରା ଆୟୋଜିତ ହୋଇଥିବାରୁ ! ଇସ୍କନ ଉପରେ କ୍ଷୁବ୍ଧ ବଲ୍ଟିମୋରର ପ୍ରବାସୀ ଓଡ଼ିଆ ଓ ଶ୍ରଦ୍ଧାଳୁ । କହିଲେ, ଶ୍ରୀମନ୍ଦିରର ନୀତି ନିୟମକୁ ଏଠାରେ କରାଯାଉଛି ଅବମାନନା । ବିଦେଶ ମାଟିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସମୟ ସୀମା ଓ ଶାସ୍ତ୍ରୀୟ ନିୟମକୁ ବଦଳାଇବାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି ।
ଆମେରିକାର ମେରୀଲ୍ୟାଣ୍ଡରେ ଥିବା ‘ବଲ୍ଟିମୋର ଇସ୍କନ ମନ୍ଦିର’ ପକ୍ଷରୁ ଚଳିତ ମେ ୩୦ ତାରିଖରେ ରଥଯାତ୍ରା ଆୟୋଜନ ହୋଇଥିଲା । ଏନେଇ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ଏବଂ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରା ଅନୁସାରେ ଆସନ୍ତା ଜୁଲାଇ ମାସରେ ରଥଯାତ୍ରା ହେବାକୁ ଥିବାବେଳେ ମେ ମାସରେ ଏହାକୁ ଆୟୋଜନ କରାଯାଇଥିବାରୁ ଶାସ୍ତ୍ର ବିରୋଧୀ ବୋଲି ଦର୍ଶାଇ ଏକ ଜୋରଦାର ପ୍ରତିବାଦପତ୍ର ଦିଆଯାଇଛି।
ଜଗନ୍ନାଥ ଅର୍ଗାନାଇଜେସନ ଫର ଗ୍ଲୋବାଲ ଆୱାରନେସ’ର ଅଧ୍ୟକ୍ଷ ନରେଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଶ୍ରଦ୍ଧାଳୁମାନେ ବଲ୍ଟିମୋର ଇସ୍କନ ମନ୍ଦିରର ସଭାପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଚନ୍ଦ୍ର ଗଣନା ଓ ତିଥି ନକ୍ଷତ୍ରକୁ ଅଣଦେଖା କରାଯାଇଥିବାରୁ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀଙ୍କ ଆଧ୍ୟାତ୍ମିକ ଭାବନାକୁ ଗଭୀର ଆଘାତ ଲାଗିଥିବା କୁହାଯାଇଛି।
ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ ଏବଂ ନୀଳାଦ୍ରି ମହୋଦୟ ଭଳି ପବିତ୍ର ଗ୍ରନ୍ଥ ଅନୁଯାୟୀ, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଜ୍ୟେଷ୍ଠ ପୂର୍ଣ୍ଣିମାରେ ଏବଂ ରଥଯାତ୍ରା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବା ଉଚିତ। ସେହି ଗଣନା ଅନୁସାରେ ଚଳିତ ବର୍ଷ ଜୁଲାଇ ୧୬ରୁ ୨୪ ମଧ୍ୟରେ ଏହି ଯାତ୍ରା ହେବା କଥା। ପ୍ରତିବାଦ ପତ୍ରରେ ସ୍ପଷ୍ଟ କୁହାଯାଇଛି, ନିର୍ଦ୍ଧାରିତ ଦିବ୍ୟ ତିଥି ବ୍ୟତୀତ ଅନ୍ୟ କୌଣସି ଦିନ ଶ୍ରୀବିଗ୍ରହମାନଙ୍କୁ ମନ୍ଦିରରୁ ବାହାରକୁ ଆଣିବା ଶାସ୍ତ୍ରସମ୍ମତ ନୁହେଁ।
ଗତ ୨୦୨୫ ଅକ୍ଟୋବର ୧୯ ତାରିଖରେ ଇସ୍କନର ମାୟାପୁର ଜିବିସି ମୁଖ୍ୟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସେଥିରେ ସାରା ବିଶ୍ୱର ସମସ୍ତ ଇସ୍କନ ମନ୍ଦିରକୁ ପୁରୀ ଶ୍ରୀମନ୍ଦିରର ଚନ୍ଦ୍ର ପଞ୍ଜିକା ଓ ତିଥି ଅନୁସାରେ ହିଁ ରଥଯାତ୍ରା କରିବାକୁ କୁହାଯାଇଥିଲା। କିନ୍ତୁ ବାଲ୍ଟିମୋର ଇସ୍କନ ମନ୍ଦିର ଏହି ନିର୍ଦ୍ଦେଶକୁ ଅବମାନନା କରିଛି। ତେବେ ଏହି ସ୍ମାରକପତ୍ର ଏବଂ ପ୍ରତିବାଦ ଉପରେ ବଲ୍ଟିମୋର ଇସ୍କନ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିପାରିନି ।
