ରାଇରଙ୍ଗପୁର: ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଆସନ୍ତା ୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଆସିବେ । ମୋହନ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ନବନିର୍ମିତ ବିଶ୍ୱସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଆଦିବାସୀ ଗବେଷଣା କେନ୍ଦ୍ରର ଉଦ୍ ଘାଟନର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ନିଜ ଗାଁ ପାହାଡ଼ପୁର ବୁଲିଯିବାକୁ ପ୍ରଧାନମନ୍ତ୍ରୀ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାରେ ‘ଭାରତୀୟ ଜଙ୍ଗଲ ପରିଚାଳନା ସଂସ୍ଥାନ’ (IIFM) ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କୁସୁମୀ ବ୍ଲକ ସୁଳିଦୁମାରେ ଏହି ମେଗା ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିପରି ରାଇରଙ୍ଗପୁର ରେଳ ଷ୍ଟେସନ, ବାଦାମପାହାଡ ରେଳ ଷ୍ଟେସନ, ଏମ୍ସ ସାଟେଲାଇଟ ସେଣ୍ଟର ଆଦିର ଶୁଭାରମ୍ଭ କରିବା ସହ ନୂତନ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଦେଶର ଦୁଇ ଶୀର୍ଷ ନେତାଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଉତ୍ସାହର ମାହୋଲ ।
