ଆସନ୍ତା ସପ୍ତାହେ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ । ୬ ରୁ ୮ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଛି । ପାଣିପାଗ ସ୍ଥିତି ଅନୁକୂଳ ସମ୍ଭାବନା ରହିଥିବାରୁ ଓଡ଼ିଶାର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇପାରେ । ସେପଟେ ମୌସୁମୀ ଆଗକୁ ବଢ଼ିବା ସହ ଏଲନିନୋ ବିପଦ ମାଡ଼ି ଆସୁଛି । ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ମିଜୋରାମ, ମଣିପୁର ଆଦି ରାଜ୍ୟର କିଛି ଅଞ୍ଚଳକୁ ଆଜି ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।
ଏଣେ ପ୍ରଶାନ୍ତ ମହସାଗରର ଏଲନିନୋର ପ୍ରଭାବ ଆରମ୍ଭ ହୋଇ ସାରିଛି । ବିଶ୍ବ ପାଣିପାଗ ସଂଗଠନ ଆକଳନ କରିଛି, ଏହା ସୁପର ଏଲନିନୋର ରୂପ ନେବ । ଯାହା ସ୍ବାଭାବିକ ଠାରୁ ୨ଡିଗ୍ରୀ ଅଧିକ ତାପମାତ୍ରା ବୃଦ୍ଧି କରିବ । ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି କରିବ ଏହି ସୁପର ଏଲନିନୋ ।
ଏଲନିନୋ ପ୍ରଭାବରେ ଏବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୦ ପ୍ରତିଶତ କମ ରହିବ ବୋଲି ପୂର୍ବାନୁମାନ କରି ସାରିଛି ଆଇଏମଡି । ତେବେ ନେସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ଆକଳନ, ଦେଶରେ ଏଲନିନୋର ପ୍ରଭାବ କମ ପଡ଼ିବ । କାରଣ ଭାରତୀୟ ମୌସୁମୀ ବାୟୁ ଏବଂ ବର୍ଷାକୁ ନିୟନ୍ତ୍ରଣ କରୁଥିବା ଇଣ୍ଡିଆନ ଓସେନ୍ ଡାଇପୋଲ ଏଲ୍ ନିନୋ ପ୍ରଭାବକୁ ହ୍ରାସ କରିବ ।
