ପିପିଏଲକୁ ନେଚର କେୟାର ସସଷ୍ଟେନବିଲିଟି ସମ୍ମାନପାରାଦ୍ୱୀପ , ୬ା୬ (ନି.ପ୍ର): ବୃକ୍ଷ, ବାୟୁ ଓ ପାଣି ହେଉଛି ମଣିଷ ସମାଜ ପାଇଁ ପ୍ରକୃତିର ବରଦାନ। ଏହାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୃକ୍ଷ ଛାଇ ଦିଏ। ଫଳ, କାଠ ଓ ଅମ୍ଳଜାନ ଦିଏ। ସବୁ ଦିଏ ସିନା କିଛି ନିଏ ନାହିଁ। ବୃକ୍ଷ ସେବା ଓ ତ୍ୟାଗର ପ୍ରତୀକ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଗୌରୀଶଙ୍କର ଶତପଥୀ କହିଛନ୍ତି। ପାରାଦ୍ବୀପ ଜୟଦେବ ସଦନରେ ବିଶ୍ବ ପରିବେଶ ଦିବସ ଅବସରରେ ନୂଆଦିଲ୍ଲୀର ନେଚର କେୟାର ଇନସିଏଟିଭ୍ ପକ୍ଷରୁ ଆୟୋଜିତ ଉତ୍ସବରେ ସେ ଏହା କହିଛନ୍ତି। ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ଗୁରୁଙ୍କ ଅଧ୍ୟକ୍ଷତାରେ ପାରାଦ୍ବୀପ ଜୟଦେବ ସଦନ ଠାରେ ଆୟୋଜିତ ସଭାରେ ବିଚାରପତି ଶ୍ରୀ ଶତପଥୀ କହିଲେ, ଗୋଟିଏ ଗଛର ଜୀବନ ୨୦୦ ରୁ ୩୦୦ ବର୍ଷ, ତାକୁ ବଢ଼ିବାକୁ ଦିଆଯାଉ। ଆମେ ଯେଉଁ ପରିମାଣରେ ଚାରାରୋପଣ କରୁଛେ ତା’ଠାରୁ ଢେର ଅଧିକ ଗଛ କାଟୁଛନ୍ତି। ଶିଳ୍ପ ନାଁରେ ଆମେ ବିକାଶ ଯେତିକି କରୁଛି, ସେହି ପରିମାଣରେ ବିନାଶ କରୁଛେ। ଶିଳ୍ପ ହେଉ ମନା ନାହିଁ, କିନ୍ତୁ ଶିଳ୍ପ ବିନାଶକାରୀ ନହେଉ। ପରିବେଶ ସହ ଖାପ ଖୁଆଇ ବିକାଶ ହେବା ଦରକାର। ପରିବେଶ ବିନା ବିକାଶ ହିଁ ବିନାଶ। ପଲିଥିନ୍ ବ୍ୟବହାର ଏବେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯାହା ମାଟି, ପାଣି ଓ ପବନକୁ କ୍ଷତି କରୁଛି। ପଲିଥିନ୍ ସାହାଯ୍ୟ ଅପେକ୍ଷା କ୍ଷତି ଅଧିକ କରୁଛି। ଏବେ ଗରମ ପ୍ରବଳ ମାତ୍ରାରେ ହେଉଛି। ବିନା ଏସିରେ ବଞ୍ଚିବା ମୁସ୍କିଲ। ଏସିର ବହୁଳ ବ୍ୟବହାର ଉତ୍ତାପ ବୃଦ୍ଧିରେ ସହାୟକ ହେଉଛି। ଏବେ ବିଶ୍ବରେ ଯୁଦ୍ଧ ବିଭୀଷିକା ଦେଖାଦେଇଛି। ଯାହାଦ୍ବାରା ବାୟୁ ପ୍ରଦୂଷଣ ହେଉଛି। ପ୍ରଭାବ କେବଳ ଯୁଦ୍ଧ ଲଢ଼ୁଥିବା ଦେଶ ଉପରେ ପଡ଼ୁନି, ସାରା ବ୍ରହ୍ମାଣ୍ଡ କ୍ଷତିଗ୍ରସ୍ତ ହେଉଛି। ଏହାକୁ ରୋକିବାକୁ ହେବ। ପରିବେଶ ସୁରକ୍ଷା ପାଇଁ ଆମକୁ ବ୍ୟାପକ ଚାରାରୋପଣ କରିବାକୁ ପଡ଼ିବ। ଚାରା କିଭଳି ବିଶାଳ ବୃକ୍ଷରେ ପରିଣତ ହେବ ସେ ବ୍ୟବସ୍ଥା କରିବା ଦରକାର। ୧୯୯୯ ମହାବାତ୍ୟା କଥା ସ୍ମରଣ କରାଇ କହିଲେ, ସବୁର ଗୋଟିଏ ସୀମା ଅଛି, ସୀମା ଟପିଲେ ସବୁ ସରିଯିବ। ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ ସୁନ୍ଦର ପରିବେଶ ଭେଟି ଦେବାକୁ ହେଲେ ଏବେ ଠାରୁ ପରିବେଶ ସୁରକ୍ଷାକୁ ବ୍ରତ ଭାବେ ଗ୍ରହଣ କରି କାମ କରିବାକୁ ହେବ। ସମ୍ମାନିତ ଅତିଥି ଭାବେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ୍ ହରନାଦ କହିଲେ, ବନ୍ଦର ପକ୍ଷରୁ ଏକ ମିଲିୟନ ଚାରାରୋପଣ କରାଯାଇ ତାହାର ସୁରକ୍ଷା କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ରୋପଣ ହୋଇଥିବା ଗଛ ଜଙ୍ଗଲରେ ପରିଣତ ହୋଇଛି। ୨୦୩୦ ସୁଦ୍ଧା ବନ୍ଦର ସମ୍ପୂର୍ଣ୍ଣ ଯାନ୍ତ୍ରୀକ ହେବ, ଯାହାଦ୍ବାରା ପ୍ରଦୂଷଣକୁ ବହୁ ମାତ୍ରାରେ ରୋକାଯାଇପାରିବ। ନେଚର କେୟାର ଇନସିଏଟିଭର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ କେରଳର ଅତିରିକ୍ତ ପିସିସିଏଫ୍ ଡ.ପଦ୍ମା ମହାନ୍ତି, ଚାରାରୋପଣ ଯେତିକି ଜରୁରୀ ଚାରାକୁ ବୃକ୍ଷରେ ପରିଣତ କରାଇବା ସେତିକି ଜରୁରୀ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାରାଦ୍ବୀପ ଆଇଓସିଏଲର କାର୍ଯ୍ୟନିର୍ବାହୀ ନିର୍ଦେଶକ କୌଶିକ ବସୁ, ପିପିଏଲ ପାରାଦ୍ବୀପ ୟୁନିଟ୍ ମୁଖ୍ୟ ଏସ୍ ଗିରୀଶ, କଲିକତାର ବରିଷ୍ଠ ସାମ୍ବାଦିକ ତଥା ପରିବେଶବିତ୍ ଅଭିଜିତ୍ ସେଠ୍ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ବହୁ ଉପାଦେୟ ସୂଚନା ପ୍ରଦାନ କରିଥିଲେ। ପରିବେଶର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷର ସମ୍ମାନଜନକ ନେଚର କେୟାର ସସଷ୍ଟେନବିଲିଟି ସମ୍ମାନ ‘ପିପିଏଲ୍’କୁ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ପିପିଏଲ ପକ୍ଷରୁ ୟୁନିଟ୍ ମୁଖ୍ୟ ଶ୍ରୀ ଗିରୀଶ ସମ୍ମାନ ଗ୍ରହଣ କରିଥିଲେ। ସଙ୍ଗଠନର ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ଗୁରୁ ସ୍ବାଗତଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ। ସକାଳବେଳା ପାରାଦ୍ବୀପ ସମୁଦ୍ର ବେଳାଭୂମି ସଫେଇ କରାଯାଇଥିଲା।
