କଟକ : ବୃଦ୍ଧ, ଦିବ୍ୟାଙ୍ଗ ଓ ଅସହାୟଙ୍କ ପେନସନ୍ ଟଙ୍କାକୁ ବି ସ୍ବାହା କରିଦେଲେ । ମଧୁବାବୁ ପେନସନ ଯୋଜନାରେ ୩୦ ଲକ୍ଷ ୭୮ ହଜାର ଟଙ୍କା ହଡ଼ପ ଅଭିଯୋଗରେ ପୁରୀ ଜିଲ୍ଲାର ଦୁଇ ଜଣ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ। ଦୁଇ ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଦୁଇ ଅଧିକାରୀ ବୃଦ୍ଧ, ଦିବ୍ୟାଙ୍ଗ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ପେନସନ ଅର୍ଥକୁ ଆତ୍ମସାତ୍ କରିଥିବା ତଦନ୍ତରେ ସାମ୍ନାକୁ ଆସିଛି।
ଗିରଫ ଅଧିକାରୀମାନେ ହେଲେ ଗଡ଼ମୃଗଶିରା ଓ ଜାମରସୁଆଁ ଗ୍ରାମପଞ୍ଚାୟତର ପୂର୍ବତନ ପିଇଓ ସୁଲମଣି ଜାନି ଓ କଣାସ ବ୍ଳକ ସାହୁପଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଟୁନା ପ୍ରଧାନ।୨୦୨୨ରୁ ୨୦୨୫ ମଧ୍ୟରେ ଉଭୟ ଅଧିକାରୀ ନିଜ ପଦର ଦୁରୁପଯୋଗ କରି ପେନସନ ବଣ୍ଟନ ହୋଇନଥିବା ଅର୍ଥକୁ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ।
ସୁଲମଣି ଜାନି ୧୫ ଲକ୍ଷ ୭୪ ହଜାର ୮୨୦ ଟଙ୍କା ଏବଂ ଟୁନା ପ୍ରଧାନ ୧୫ ଲକ୍ଷ ୩ ହଜାର ୮୦୦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି। ମୋଟ ହଡ଼ପ ଅର୍ଥର ପରିମାଣ ୩୦ ଲକ୍ଷ ୭୮ ହଜାର ୬୨୦ ଟଙ୍କା। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ଦାୟର କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।
