ଭୁବନେଶ୍ୱର : ଘରେ ଥିଲା ହାଇଟେକ୍ ସିକ୍ୟୁରିଟି ବ୍ୟବସ୍ଥା । ରୋବଟ୍ ଜଗିଥିଲା ଘର, ହେଲେ ଚକମା ଦେଇ ଘର ଖାଲି କରିଦେଲେ ଚୋର ! ଘରେ ଥିଲା ହାଇଟେକ୍ ସିକ୍ୟୁରିଟି ବ୍ୟବସ୍ଥା। ଘରେ କେହି ପଶିଲେ ଆଲର୍ଟ ଦେବା ପାଇଁ ରହିଥିଲା ସ୍ୱତନ୍ତ୍ର ରୋବଟ୍। ହେଲେ ସେହି ରୋବଟକୁ ନିଷ୍କ୍ରିୟ କରି ଲୁଟିନେଲେ କୋଟିଏ ଟଙ୍କାର ସମ୍ପତ୍ତି । ରାଜଧାନୀରେ ପୁଣି ମାତିଲେ ଚୋର ଗ୍ୟାଙ୍ଗ ।
ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ବିଲଡରଙ୍କ ଘରକୁ ଟାର୍ଗେଟ୍ କରି ତାଲା ଭାଙ୍ଗି ଘରେ ପଶିଥିଲେ ଲୁଟେରା । ନଗଦ ଟଙ୍କା, ସୁନା ଗହଣା ସହ ପାଖାପାଖି ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଲୁଟିନେବା ସହ ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି । ଘରେ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଚୋରି ହେବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିଛି । ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଲକ୍ଷ୍ମୀସାଗର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ଘଟଣାକୁ ନେଇ ସ୍ପେସିଆଲ୍ ସ୍କ୍ୱାଡ୍ ମଧ୍ୟ ଛାନଭିନ୍ ଆରମ୍ଭ କରିଛି।
