ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ (Deep Depression) ୨୩ ସେପ୍ଟେମ୍ବର ରାତି ୧୧ଟାରୁ ୨୪ ସେପ୍ଟେମ୍ବର ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ଏହାର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୫୫–୬୫ କି.ମି. ଥିବାବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୫ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ପରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଅବସ୍ଥିତ ଥିବାବେଳେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୧୭୦ କି.ମି. ଦକ୍ଷିଣ-ପଶ୍ଚିମରେ ରହିଥିଲା।
ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୭ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଆଜି ସକାଳ ୮ଟା ୩୦ ମିନିଟ୍ ସମୟରେ ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପରେ, ଅକ୍ଷାଂଶ ୧୮.୫° ଉତ୍ତର ଓ ଦ୍ରାଘିମା ୮୩.୫° ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା।
ଏହା କଳିଙ୍ଗପଟ୍ଟନମ୍ (ଆନ୍ଧ୍ରପ୍ରଦେଶ)ର ପ୍ରାୟ ୭୦ କି.ମି. ପଶ୍ଚିମ-ଉତ୍ତରପଶ୍ଚିମ, ରାୟଗଡ଼ା (ଓଡ଼ିଶା)ର ୮୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, କୋରାପୁଟ (ଓଡ଼ିଶା)ର ୯୦ କି.ମି. ପୂର୍ବ-ଦକ୍ଷିଣପୂର୍ବ ଏବଂ ଜଗଦଲପୁର (ଛତିଶଗଡ଼)ର ୧୭୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଅବସ୍ଥିତ ଥିଲା।
ଏହି ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି, ୨୪ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହାର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି।
ଗଭୀର ଅବପାତ ଉପକୂଳ ଅତିକ୍ରମ କରି ଏବେ ସ୍ଥଳଭାଗ ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ପରିସ୍ଥିତି ଉପରେ ନିରନ୍ତର ତଦାରଖ କରାଯାଉଛି।
ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରରେ ନିୟୋଜିତ ପ୍ରତିକ୍ରିୟାଶୀଳ ବାହିନୀଗୁଡ଼ିକ ସତର୍କ ରହିଛନ୍ତି। ନିୟମିତ ଭାବେ କ୍ଷେତ୍ରସ୍ତରୀୟ ସ୍ଥିତି ଆକଳନ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଯାତାୟାତ ପରିଚାଳନା, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାଗୁଡ଼ିକରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିଥିବା ରିପୋର୍ଟ ମିଳିନାହିଁ।
