ଭୁବନେଶ୍ୱର : KIIT କିଟ୍ ସ୍କୁଲ୍ ଅଫ୍ ଫାର୍ମାସୀ ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଛି । ଏହି ଅବସରରେ ସକାଳେ ମାରାଥନ୍ ଓ ସନ୍ଧ୍ୟାରେ କିମ୍ସରେ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କିଟ୍ , କିସ୍ ଓ କିମ୍ସର ପ୍ରତିଷ୍ଠାତା ପ୍ରଫେସର ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଏବଂ ଓଡ଼ିଶା ଡ୍ରଗ୍ କଣ୍ଟ୍ରୋଲର୍ ମାମିନା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଫାର୍ମାସି ଟିମ୍ କୁ ଏନ୍ ଏବିଏଚ୍ (NABH) ଯାଞ୍ଚ ସମୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ । ସମାଜରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି କହିଥିଲେ ଯେ, ଫାର୍ମାସି ପେଶାର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଏହି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । କୋଭିଡ୍-୧୯ ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ନିଜ ଦକ୍ଷତା ଓ ସେବା ମାଧ୍ୟମରେ ପେଶାର ଗୁରୁତ୍ୱ ପ୍ରମାଣ କରିଥିବା ସେ କହିଥିଲେ ।
ସେ କହିଥିଲେ, “ଭାରତକୁ ବିଶ୍ୱର ‘ଫାର୍ମାସି କ୍ୟାପିଟାଲ’ ଭାବେ ପରିଚିତ କରାଯାଉଛି । ତେଣୁ ଏହି କ୍ଷେତ୍ରରେ ବ୍ୟାପକ ରୋଜଗାର ଓ କ୍ୟାରିୟର ସୁଯୋଗ ରହିଛି । ଏହି କାର୍ଯ୍ୟକ୍ରମରେ କିମ୍ସ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ମାନସ ରଞ୍ଜନ ବେହେରା, ଫାଉଣ୍ଡରଙ୍କ ପରାମର୍ଶଦାତା ଡ଼. ଆର୍. ଏନ୍. ସାମନ୍ତ, କିମ୍ସ ଡିନ୍ ଓ ପ୍ରିନ୍ସିପାଲ୍ ପ୍ରଫେସର ଆର୍. ସି. ଦାସ ଏବଂ ସ୍କୁଲ୍ ଅଫ୍ ଫାର୍ମାସିର ପ୍ରିନ୍ସିପାଲ୍ ପ୍ରଫେସର ବିଶ୍ୱ ରଞ୍ଜନ ବେହେରା ଉପସ୍ଥିତ ଥିଲେ। ଫାର୍ମାସିଷ୍ଟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
