ଓରମାସ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ବନ ବିଭାଗର ଚଢ଼ାଉରାୟଗଡ଼ା, ୧୧/୧୦: ରାୟଗଡ଼ା ସହରରେ ବଜ୍ରକାପ୍ତା ଖପୁରୀ ବିକ୍ରି କାରବାର ଚାଲିଥିବା ବେଳେ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଛି ରାୟଗଡ଼ା ବନ ବିଭାଗ। ଗତ ଶନିବାର, ଅକ୍ଟୋବର ୧୦ ତାରିଖ ଦିନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ସହରସ୍ଥିତ ଓରମାସ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ଏହି ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ପ୍ରାୟ ୪ କିଲୋଗ୍ରାମରୁ ଅଧିକ ଓଜନର ବଜ୍ରକାପ୍ତା ଖପୁରୀ ଜବତ ହୋଇଥିବା ଜଣାପଡ଼ିଛି।
ବନଖଣ୍ଡ ଅଧିକାରୀ, ରାୟଗଡ଼ାଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଗିରଫ ତିନି ଜଣ ହେଲେ ରାୟଗଡ଼ା ଥାନା ଅନ୍ତର୍ଗତ ପଣସପୁଟ ଗ୍ରାମର ଜଗନ ହିମିରିକା (୩୮), କୁମ୍ଭୀକଟା ଗ୍ରାମର ନୀଳାମ୍ବର ଖୋସଲା (୬୭) ଏବଂ ପୁରୁଷୋତ୍ତମ ଖୋସଲା (୪୮)। ନୀଳାମ୍ବର ଓ ପୁରୁଷୋତ୍ତମ ଉଭୟ ଛେଣ୍ଡିଆ ଖୋସଲାଙ୍କ ପୁଅ ବୋଲି ତଦନ୍ତରୁ ଜଣାପଡ଼ିଛି।
ଏହି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିଲା। ଏସିଏଫ୍ (ACF) ଶ୍ରୀ ସତୀଶ କୁମାର ଧାରୁଆଙ୍କ ତତ୍ତ୍ୱାବଧାନରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ପରେ ଗିରଫ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସିଏଫ୍ ଶ୍ରୀ ଧାରୁଆ ସୂଚନା ଦେଇଛନ୍ତି।
