ଭୁବନେଶ୍ବର: ଆଜି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସରେ ଭୋଟ୍ ଲଢ଼େଇ । ୮ ବର୍ଷ ପରେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ । ଆଜି ମତଦାନ ପରେ ଫଳାଫଳ ପ୍ରକାଶ ପାଇବ । ହିଂସା ଆଶଙ୍କାରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ନିଜ ପସନ୍ଦର ପ୍ରତିନିଧି ବାଛିବା ପାଇଁ ମତଦାନ କରିବେ ଛାତ୍ରଛାତ୍ରୀ । ସକାଳ ୮ଟାରୁ ଆରମ୍ଭ ହୋଇ ମତଦାନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଭୋଟ୍ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବା କାର୍ଯ୍ୟସୂଚୀ ରହିଛି । ୨୦୧୮ ମସିହାରୁ ବନ୍ଦ ଥିଲା ଛାତ୍ର ସଂସଦ ନିର୍ବାଚନ । ଆଜି ଉତ୍ସାହର ସହ ଭୋଟ ଦେବେ ଛାତ୍ରଛାତ୍ରୀ । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ । ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ନିର୍ବାଚନ ହେଉଥିବା ବିଭିନ୍ନ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ମତଦାନ କେନ୍ଦ୍ରରେ ଶୃଙ୍ଖଳା ବଜାୟ ରଖିବା ସହ ଛାତ୍ରଛାତ୍ରୀ ଯେପରି ନିର୍ଭୟରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଏଥର ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗଡୋ କମିଟିର ସୁପାରିଶ ଅନୁସାରେ କଟକଣା ଲାଗୁ କରାଯାଇଛି । ନିୟମ ଓ କଟକଣା ସତ୍ତ୍ୱେ କ୍ୟାମ୍ପସ ରାଜନୀତିରେ ଦଳୀୟ ପ୍ରଭାବ ପ୍ରତିପାଦନ ପାଇଁ ମଧ୍ୟ ପ୍ରତିଯୋଗିତା ତୀବ୍ର ହୋଇଥିଲା। ନିର୍ବାଚନକୁ କେନ୍ଦ୍ର କରି ହିଂସା ଓ ଉତ୍ତେଜନା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ କ୍ୟାମ୍ପସଗୁଡ଼ିକରେ ପୋଲିସ ନଜର ରଖିବା ସହ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ମତଦାନ ବେଳେ ଗଣ୍ଡଗୋଳ, ଧମକଚମକ କିମ୍ବା ଗୋଷ୍ଠୀ ସଂଘର୍ଷ ଭଳି ଘଟଣାକୁ ରୋକିବା ପାଇଁ ପୋଲିସ ଓ କଲେଜ କର୍ତ୍ତୃପକ୍ଷ ସତର୍କ ରହିଛନ୍ତି । ବାଣୀବିହାରରେ ୧୫୦ରୁ ଅଧିକ କ୍ୟାମେରା ଜରିଆରେ ନଜର ରଖିବାକୁ ବ୍ୟବସ୍ଥା କରାଯାଇଛି ।
ଗତକାଲି ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ଦୁଇ ଛାତ୍ରଗୋଷ୍ଠୀ ହାତାହାତି ହୋଇଥିଲେ । ରଣକ୍ଷେତ୍ର ପାଲଟିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ । ରାଜ୍ୟର ଆହୁରି ଅନେକ କ୍ୟାମ୍ପସରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେଣୁ ଭୋଟ ଗ୍ରହଣକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବାକୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଅପରାହ୍ନ ୨ଟାରେ ମତଦାନ ଶେଷ ହେବା ପରେ ଆରମ୍ଭ ହେବ ଭୋଟ୍ ଗଣତି । ସନ୍ଧ୍ୟା ସୁଦ୍ଧା କ୍ୟାମ୍ପସଗୁଡ଼ିକରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଛାତ୍ର ସଂସଦ କାହା ହାତକୁ ଯିବ ତା ଉପରେ ନଜର ରହିଛି ।
