ଯୁଦ୍ଧର ଉତ୍ତେଜନା ଭିତରେ ସମୁଦ୍ରରୁ ଆସିଲା ଅଜବ ଚିତ୍ର! କେଉଁଠି ଭାସୁଛି କଣ୍ଟେନର୍, ତ କେଉଁଠି ଦେଖିବାକୁ ମିଳୁଛି ଆଇଫୋନ୍ ବକ୍ସ୍ ଓ ଦାମୀ ପରଫ୍ୟୁମ୍ ପ୍ୟାକେଟ୍! ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ର ଏହି ଭିଡିଓ ଏବେ ଚର୍ଚ୍ଚାରେ। ସମୁଦ୍ରରେ ଭାସୁଥିବା ସାମଗ୍ରୀକୁ ଛୋଟ ଡଙ୍ଗାରେ ଲୋକେ ସଂଗ୍ରହ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ସହ ଯୋଡ଼ି ହୋଇଛି କଣ୍ଟେନର୍ ଜାହାଜ GFS Prideର ନାଁ। ଅକ୍ଟୋବର ୧୩ ତାରିଖରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯାଉଥିବା ବେଳେ ଜାହାଜଟି ଅଜଣା ପ୍ରକ୍ଷେପଣାସ୍ତ୍ର ବା ପ୍ରୋଜେକ୍ଟାଇଲ୍ର ଆଘାତରେ କ୍ଷତିଗ୍ରସ୍ତ ହୋଇଥିବା ନେଇ ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ସୂଚନା ରହିଛି। ଜାହାଜରେ ନିଆଁ ଲାଗିବା ପରେ ଏହା ବୁଡ଼ିଯାଇଥିଲା।ଜାହାଜଟି ପ୍ରାୟ ୨,୫୦୦ କଣ୍ଟେନର୍ ନେବା କ୍ଷମତା ରଖୁଥିଲା। ତେବେ ବୁଡ଼ିବା ସମୟରେ ଏଥିରେ ପ୍ରକୃତରେ କେତେ କଣ୍ଟେନର୍ ଥିଲା ଏବଂ ସେଥିରେ କେତେ ମାଲ ଥିଲା ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ।
ଇରାନର ସାମରିକ ପକ୍ଷ ଦାବି କରିଛି ଯେ ଜାହାଜଟି ଅନୁମତି ନଥିବା ଏକ ରୁଟ୍ରେ ଯାଉଥିବା ବେଳେ ସମୁଦ୍ରରେ ଥିବା ନାଭାଲ୍ ମାଇନ୍ର ଶିକାର ହୋଇଥିଲା। ଅନ୍ୟପକ୍ଷରେ, ସିଙ୍ଗାପୁରର ସାମୁଦ୍ରିକ ଓ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ଜାହାଜଟି ଅଜଣା ପ୍ରୋଜେକ୍ଟାଇଲ୍ର ଆଘାତରେ କ୍ଷତିଗ୍ରସ୍ତ ହୋଇଥିଲା। ଅର୍ଥାତ୍, ଘଟଣାର କାରଣକୁ ନେଇ ଏବେ ବି ରହିଛି ଭିନ୍ନ ଭିନ୍ନ ଦାବି। ଏହି ଘଟଣା ଭିତରେ ଆଶ୍ୱସ୍ତିର ଖବର ହେଉଛି, ଜାହାଜରେ ଥିବା ସମସ୍ତ ୨୧ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କାହାରି ଆହତ ହେବାର ଖବର ନାହିଁ। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ କେବଳ ଏକ ସାମୁଦ୍ରିକ ପଥ ନୁହେଁ; ବିଶ୍ୱର ତେଲ ଓ ଗ୍ୟାସ୍ ପରିବହନ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ବଢ଼ିଲେ, ଜାହାଜ ଚଳାଚଳର ସୁରକ୍ଷା, ବୀମା ଖର୍ଚ୍ଚ ଏବଂ ଅନ୍ତର୍ଜାତୀୟ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ିବାର ଆଶଙ୍କା ରହିଛି।
ଗୋଟିଏ ପଟେ ଭୂ ରାଜନୈତିକ ଉତ୍ତେଜନା, ଅନ୍ୟପଟେ ବାଣିଜ୍ୟିକ ଜାହାଜର ସୁରକ୍ଷା ନେଇ ଚିନ୍ତା। ଏହାରି ଭିତରେ ଆଇଫୋନ୍ ଓ ଦାମୀ ପରଫ୍ୟୁମ୍ ଭାସୁଥିବା ଭିଡିଓ ଏହି ଘଟଣାକୁ ଆହୁରି ଚର୍ଚ୍ଚିତ କରିଛି। ହର୍ମୁଜ୍ରେ ବୁଡ଼ିଲା ଜାହାଜ, ଭାଇରାଲ୍ ହେଲା ଆଇଫୋନ୍ ଭାସୁଥିବା ଭିଡିଓ। କିନ୍ତୁ ଭିଡିଓର ସତ୍ୟତା ଓ ଜାହାଜରେ ଥିବା ସାମଗ୍ରୀ ସମ୍ପର୍କିତ ଦାବି ନେଇ ଏବେ ବି ରହିଛି ଅନେକ ପ୍ରଶ୍ନ। ଏହି ଘଟଣା ଉପରେ ରହିଛି ବିଶ୍ୱର ନଜର।
