ଭୁବନେଶ୍ୱର: ମେଲାଣି ନେଉଛନ୍ତି ମା’ ଦଶଭୂଜା । ମଣ୍ଡପରେ ୪ ଦିନ ଦର୍ଶନ ଦେବା ପରେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି । ଆଜି ମା’ ଦୁର୍ଗାଙ୍କ ଭସାଣି ଯାତ୍ରା । ଉତ୍ସବମୁଖର ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱର । ମା’ଙ୍କୁ ଦିଆଯାଉଛି ଭାବବିହ୍ୱଳ ବିଦାୟ । କଟକରେ ଭସାଣି ଯାତ୍ରା ଆରମ୍ଭ ହୋଇ ସାରିଛି । ପାରମ୍ପରିକ ବାଜା, ରୋଷଣିର ଶୋଭାଯାତ୍ରାରେ ମାଆଙ୍କୁ ବିଦାୟ ଦେଉଛନ୍ତି ଶ୍ରଦ୍ଧାଳୁ । କଟକ ସହରରେ ପ୍ରାୟ ୧୭୦ରୁ ଉର୍ଦ୍ଧ ମେଢ଼ ଆଜି ଭସାଣ କରାଯିବ । ଏଣେ ରାଜଧାନୀ ଭୁବନେଶ୍ୱରରେ ଭସାଣି ଯାତ୍ରା ପାଇଁ ପ୍ରସ୍ତୁତି ଜୋରସୋର । ଅପରାହ୍ଣ ୨ଟାରୁ ଟ୍ରାଫିକ୍ କଟକଣା ଲାଗୁ ହେବ । ଭସାଣି ଶେଷ ହେବା ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ରାସ୍ତାରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରାଯିବ । ରାଜଧାନୀର ଚାରିଟି ପ୍ରମୁଖ ଭସାଣି କମିଟିର ଶୋଭାଯାତ୍ରା ରୁଟ୍ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ଯାନବାହନକୁ ବିକଳ୍ପ ରାସ୍ତାରେ ଛଡ଼ାଯିବ । ଉଭୟ ସହରରେ ଭସାଣି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାକୁ ବ୍ୟାପକ କରାଯାଇଛି ।
