ବିହାର: ବିହାରରେ ବାଣ ବିସ୍ଫୋରଣରେ ଥରିଲା ପୂରା ଅଞ୍ଚଳ । ଘରେ ଗଚ୍ଛିତ ଥିବା ବାଣରେ ନିଆଁ ଲାଗିବା ପରେ ଘଟିଲା ଭୟଙ୍କର ବିସ୍ଫୋରଣ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସିୱାନ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟ କିଛି ଲୋକଙ୍କ ସ୍ଥିତି ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ସାମ୍ନା ପାର୍ଶ୍ୱ ଭୁଶୁଡ଼ି ରାସ୍ତା ଉପରେ ପଡ଼ିଯାଇଛି । ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିହାରର ସିୱାନ ଜିଲ୍ଲାରେ ଘଟିଛି ଏହି ଛାତିଥରା ଘଟଣା । ଜାମୋ ଥାନା ଅନ୍ତର୍ଗତ ଆଲମାପୁର ଗାଁରେ ଶୁକ୍ରବାର ଏକ ଘରେ ରଖାଯାଇଥିବା ବାଣରେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ସୂଚନା ଅନୁଯାୟୀ, ଆଲମାପୁର ନିବାସୀ ମହମ୍ମଦ ଅମୀରୁଦ୍ଦିନ ମିଆଁଙ୍କ ଘରେ ବହୁ ପରିମାଣରେ ବାଣ ରଖାଯାଇଥିଲା । ତାଙ୍କୁ ବାଣ ବ୍ୟବସାୟୀ ବୋଲି କୁହାଯାଉଛି ।
ଘଟଣା ସମୟରେ ଘର ଭିତରେ ପରିବାରର ଅନେକ ସଦସ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି । ହଠାତ୍ ବାଣରେ ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ସାମ୍ନା ଅଂଶ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା । ବିସ୍ଫୋରଣର ଶବ୍ଦରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସବୁଠାରୁ ଚିନ୍ତାଜନକ କଥା ହେଉଛି, ପ୍ରଥମ ବିସ୍ଫୋରଣ ପରେ ମଧ୍ୟ ଘର ଭିତରେ ମଝିରେ ମଝିରେ ଧମାକା ଜାରି ରହିଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିବା ସୂଚନା ରହିଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା ।
ସିୱାନ ଏସ୍ପି ଭାରତ ସୋନିଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ୨୦ ମିନିଟରେ ବିସ୍ଫୋରଣ ସମ୍ପର୍କରେ ଖବର ମିଳିଥିଲା । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଥିବା ସେ କହିଥିବା ବେଳେ ଜିଲ୍ଲାପାଳ ବିଜୟ ପ୍ରକାଶ ମୀଣା ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ତେଣୁ ମୃତକଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ଅଧିକାରିକ ସ୍ଥିତି ଆହୁରି ସ୍ପଷ୍ଟ ହେବା ଆବଶ୍ୟକ । ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ, ଡାକ୍ତରୀ ଦଳ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀ ପହଞ୍ଚିଛନ୍ତି । ଫରେନ୍ସିକ୍ ଟିମ୍ ମଧ୍ୟ ପହଞ୍ଚି ବିସ୍ଫୋରଣର କାରଣ ସମ୍ପର୍କରେ ପ୍ରମାଣ ସଂଗ୍ରହ କରୁଛି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳକୁ ଘେରାଉ କରାଯାଇଛି ଏବଂ ଲୋକଙ୍କୁ ପ୍ରାୟ ୨୦୦ ମିଟର ଦୂରରେ ରହିବାକୁ କୁହାଯାଇଛି ।
