ସମ୍ବଲପୁର: ଲାଞ୍ଚ ନେବା ବେଳେ ପୋଖରୀକୁ ଡେଇଁ ପଡ଼ିଥିବା ପୋଲିସ ଏସଆଇ ସୁଜିତ ମହାନ୍ତ ଗିରଫ । ସମ୍ବଲପୁର ଭିଜିଲାନ୍ସ ମହୁଲପାଲି ଥାନାରେ କାର୍ଯ୍ୟରତଏସଆଇ ସୁଜିତ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ବ୍ୟକ୍ତିଙ୍କଠାରୁ ଏକ ମାମଲାର ସମାଧାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗକାରୀ ଭିଜିଲାନ୍ସଙ୍କୁ ଜଣାଇବା ପରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ନିର୍ଜନ ସ୍ଥାନରେ ଲାଞ୍ଚ ନେଉଥିବା ଭିଜିଲାନ୍ସ ଟିମ୍ ପହଞ୍ଚିଯିବାରୁ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ପ୍ରୟାସ କରିଥିଲେ । ଭିଜିଲାନ୍ସ ଟିମ୍ ତାଙ୍କୁ ଗୋଡ଼ାଇବାରୁ ସେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ ।
ଭିଜିଲାନ୍ସ ଟିମ ମଧ୍ୟ ପାଣିକୁ ଡେଇଁ ପହଁରି ପହଁରି ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ତାଙ୍କ ନିକଟରୁ ଲାଞ୍ଚ ନିଆଯାଇଥିବା ସମସ୍ତ ଟଙ୍କା ଜବତ କରାଯାଇଥିଲା । ଏହି ଚଢ଼ାଉ ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କର ବିଭିନ୍ନ ଠିକଣା ଓ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କୋଠରୀରେ ମଧ୍ୟ ତଲାସୀ କରାଯାଇଥିଲା । ତଲାସୀ ସମୟରେ ଏସଆଇ ସୁଜିତ ମହାନ୍ତଙ୍କ ରୁମରୁ ନଗଦ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ ହୋଇଛି । ଏନେଇ ସମ୍ବଲପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଏସଆଇଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।
