ନୂଆଦିଲ୍ଲୀ: ପୁଣେ ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଇଣ୍ଡିଗୋ ବିମାନ । ପୁଣେରୁ ଗୌହାଟୀ ଅଭିମୁଖେ ଇଣ୍ଡିଗୋ ବିମାନ 6E 0623 ଯାତ୍ରା କରୁଥିବାବେଳେ ଆଜି ସକାଳେ ପୁଣେରେ ଅବତରଣ କରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଏମରଜେନ୍ସି ଲ୍ୟାଣ୍ଡିଂ ହୋଇଥିବା ଜଣାପଡିଛି । ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି। କୌଣସି ଆହତ ହେବାର ରିପୋର୍ଟ ନାହିଁ ।
ସୂଚନାନୁଯାୟୀ, ଉଡ଼ାଣ ଭରିବା ପରେ ବିମାନର ଲ୍ୟାଣ୍ଡିଂ ଗିଅର କାମ କରିନଥିଲା । ଫଳରେ ପୁଣେରୁ ଗୌହାଟୀ ଯାଉଥିବା ଇଣ୍ଡିଗୋ ବିମାନ 6E 0623 ପୁଣେ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଏମରଜେନ୍ସି ଲ୍ୟାଣ୍ଡିଂବେଳେ ବିମାନରେ ୧୯୨ ଜଣ ଯାତ୍ରୀ ଥିଲେ । କିନ୍ତୁ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି । ପ୍ରଭାବିତ ଯାତ୍ରୀମାନଙ୍କୁ ଗୌହାଟୀ ଯାତ୍ରା ଜାରି ରଖିବା ପାଇଁ ଇଣ୍ଡିଗୋ ବେଙ୍ଗାଲୁରୁରୁ ପୁଣେ ପାଇଁ ଦ୍ୱିତୀୟ ବିମାନ ବ୍ୟବସ୍ଥା କରୁଛି । ଏଥିସହ ଘଟଣା ବିଷୟରେ ସୂଚନା ପାଇବା ପରେ, ପୁଣେ ବିମାନବନ୍ଦର ପ୍ରଶାସନ ATC, ଇଣ୍ଡିଗୋ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ସଂସ୍ଥା ସହିତ ସମନ୍ୱୟ ସ୍ଥାପନ କରିଥିଲା । ଭାରତୀୟ ବାୟୁସେନା (IAF) ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା, ଯାହା ପରେ ଜରୁରୀକାଳୀନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଅଗ୍ନିଶମ ସେବା, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଦଳଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଥିଲା ।
ଅନ୍ୟପଟେ ପୁଣେ ବିମାନବନ୍ଦର ପ୍ରଶାସନ କହିଛି ଯେ, ସମଗ୍ର କାର୍ଯ୍ୟ ଭାରତୀୟ ବାୟୁସେନା, ATC, ଇଣ୍ଡିଗୋ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସଂସ୍ଥାଗୁଡ଼ିକର ସହଯୋଗରେ କରାଯାଇଥିଲା । ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା । ହେଲେ ଇଣ୍ଡିଗୋ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ବିବୃତ୍ତି ଜାରି କରିନାହିଁ । ଅବତରଣ କରିବା ପରେ ବିମାନକୁ ତିନୋଟି ଅଗ୍ନିଶମ ଗାଡ଼ି ଏବଂ ଦୁଇଟି ଆମ୍ବୁଲାନ୍ସ ସାହାଯ୍ୟରେ ୱେ ନମ୍ବର ୭ କୁ ନିଆଯାଇଥିଲା । ବିମାନ ସୁରକ୍ଷିତ ଥିବା ନିଶ୍ଚିତ କରିବା ପରେ ATC ସକାଳ ୯ଟା ୧୦ମିନିଟରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କରିଥିଲା ।
