ଭୁବନେଶ୍ୱର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବରିଷ୍ଠ ନେତା ଓ ପ୍ରଶାସନିକ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ । ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ୱତନ୍ତ୍ର କାରକେଡ୍ ଯୋଗେ ଲୋକଭବନ ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆଜି ଅପରାହ୍ନରେ ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି। ଏଥିପାଇଁ କଟକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକ ଓ ଭୁବନେଶ୍ୱରରେ ମୋଟ ୭୮ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ବ୍ୟାପକ ଭାବେ ମୁତୟନ କରାଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହେଉଥିବା ବାଲିଯାତ୍ରା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରେ। ପ୍ରାଚୀନ କାଳରେ ଓଡ଼ିଆ ସାଧବମାନେ ବାଲି, ଜାଭା ଓ ସୁମାତ୍ରା ଭଳି ଦ୍ୱୀପକୁ ବାଣିଜ୍ୟ ପାଇଁ ଯାତ୍ରା କରୁଥିଲେ ।
ସେହି ସମୃଦ୍ଧ ଐତିହ୍ୟର ପ୍ରତୀକ ହେଉଛି କଟକ ବାଲିଯାତ୍ରା। ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ଐତିହାସିକ ମହୋତ୍ସବକୁ ଅଧିକ ସ୍ୱତନ୍ତ୍ର କରିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତାକାଲି ନଭେମ୍ବର ୨୫ରେ ଭୁବନେଶ୍ୱରରେ ଜାତୀୟ ହୋମିଓପାଥି ବିଜ୍ଞାନ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି ।
ଏହାପରେ ତାଙ୍କର ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ କଟକ ବାଲିଯାତ୍ରା। ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବାଣିଜ୍ୟିକ ଷ୍ଟଲ୍ , ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି ।
