ପାରଳାଖେମୁଣ୍ଡି: ଲଘୁଚାପ ଜନିତ ବର୍ଷା ଉଜାଡ଼ି ଦେଲା ସବୁ କିଛି। ଘର ଦ୍ବାର, ରାସ୍ତାଘାଟ, ଫସଲ ସବୁ ଛାରଖାର କରିଦେଲା ବର୍ଷା। ଏବେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଜିଲ୍ଲାର ଗୋଷାଣୀ ଓ କାଶୀନଗର ବ୍ଳକରେ ଶହ ଶହ ଏକର ଧାନ ଓ ପରିବା ଚାଷ ହେଉଥିବା ବେଳେ ବହୁ ଚାଷୀ ଧାନ ସହ ଅର୍ଥକାରୀ ଫସଲ ମକା ଓ କପା ଚାଷ ମଧ୍ୟ କରିଥାନ୍ତି। ତେବେ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଜିଲ୍ଲାର ହେକ୍ଟର ହେକ୍ଟର ଚାଷଜମି ଜଳ ନିଷ୍କାସନ ହୋଇ ନପାରି ଜଳ ମଗ୍ନ ହୋଇ ରହିବା ଫଳରେ ବହୁ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ବିଶେଷ କରି କାଶୀନଗର ବ୍ଳକର ନଦୀ କୁଳିଆ ଅଞ୍ଚଳରେ ହୋଈଥିବା କପା, ମକ୍କା ଓ ପରିବା ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।
ମୋହନା ବ୍ଲକରେ ସର୍ବାଧିକ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ମକ୍କା ଗଛ ସବୁ ନାଲି ପଡ଼ି ପଚିଯାଇଛି। କପା ଫସଲ ଫୁଲ ଧରିବା ସମୟ ହୋଇଥିବାରୁ ଆଉ ଅମଳ ଭଲ ହେବନି ବୋଲି କହୁଛନ୍ତି ଚାଷୀ। ସେହିଭଳି ଶହ ଶହ ଏକର ଟମାଟୋ ଚାଷ ନଷ୍ଟ ହୋଇଛି। ଟମାଟୋ ଏକ ବ୍ୟୟ ବହୁଳ ଚାଷ। ବିହନ ଠାରୁ ଚାରା ରୋପଣ ସହ, ସାର କୀଟନାଶକ ଆଦି ବ୍ୟବହାର କରି ବହୁ ଅର୍ଥ ଖର୍ଚ୍ଚ କରି ଚାଷ କରିଥିଲେ ଚାଷୀ। କିନ୍ତୁ ଅମଳ ପୁର୍ବରୁ ସବୁ ନଷ୍ଟ କରିଦେଇଛି ବର୍ଷା ଜଳ। ତେଣୁ ଚାଷୀ କୁଳ ଏବେ ଚିନ୍ତାରେ।
