ରାୟଗଡ଼ା, ୧୨ ଅକ୍ଟୋବର:
ଓଡ଼ିଶାରେ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଘଟଣା ପଛରେ ଚାଲିଥିବା ଷଡ଼ଯନ୍ତ୍ରକୁ ନେଇ ଇଣ୍ଟରନେସନାଲ ହ୍ୟୁମାନ ରାଇଟ୍ସ ସଂଘ କଡ଼ା ଅସନ୍ତୋଷ ପ୍ରକାଶ କରିଛି। ରବିବାର ସନ୍ଧ୍ୟା ୫.୩୦ରେ ରାୟଗଡ଼ା ସହରସ୍ଥ ରାଜ ଭବନ ହୋଟେଲର ସମ୍ଭିଳନୀ କକ୍ଷରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସଂଘ ପକ୍ଷରୁ ଏହି ବିଷୟରେ ମତ ପ୍ରକାଶ କରାଗଲା।
ଏହି ସଭାରେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ୍ସର ସାଉଥ ଓଡ଼ିଶା ହେଡ୍ ଶ୍ରୀ ରଞ୍ଜୁ ବାରା, ରାୟଗଡ଼ା ଜିଲ୍ଲା ସେକ୍ରେଟାରୀ ନଳିନୀ ପାଣି ଓ ଏସ.ସି. ଏବଂ ଏସ.ଟି. ସେଲ ମୁଖ୍ୟ ରୋବର୍ଟ ଜାନି ଉପସ୍ଥିତ ଥିଲେ। ସେମାନେ କହିଲେ ଯେ ଓଡ଼ିଶାର ଶିକ୍ଷିତ ଯୁବ ସମାଜକୁ ଟାର୍ଗେଟ୍ କରି ଏକ ଗଭୀର ଷଡ଼ଯନ୍ତ୍ର ଚାଲିଛି। ଏହି ଷଡ଼ଯନ୍ତ୍ରର ଲକ୍ଷ୍ୟ ହେଉଛି ରାଜ୍ୟର ବିଭିନ୍ନ ଭର୍ତ୍ତି ପ୍ରକ୍ରିୟାକୁ ବାଧା ଦେବା ଓ ବିଳମ୍ବ କରେଇବା।
୨୯ ସେପ୍ଟେମ୍ବରରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB) ଦ୍ୱାରା ଅନିୟମିତତା ସନ୍ଦେହ ମିଳିଥିବା ପରେ, ସେମାନେ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ପରେ ବ୍ରହ୍ମପୁରରେ କିଛି ଅଭିଯୁକ୍ତ ଧରାପଡ଼ିଥିଲେ। ପରୀକ୍ଷାର ସତ୍ୟନିଷ୍ଠା ଓ ପାରଦର୍ଶିତା ରଖିବା ପାଇଁ OPRB ତୁରନ୍ତ ଲିଖିତ ପରୀକ୍ଷା ବନ୍ଦ କରିଥିଲା।
ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୋଲିସ ବିଭାଗରେ ଏକ ଲକ୍ଷ ତେପନ ହଜାର ପଦ ପୂରଣ ହେବାକୁ ଥିଲା। ଏହା ପ୍ରତି ଜିଲ୍ଲାର ଏସପି କାର୍ଯ୍ୟାଳୟ ମାଧ୍ୟମରେ ଚୟନ ପ୍ରକ୍ରିୟା ସମ୍ପନ୍ନ କରାଯିବାକୁ ଯୋଜନା ହୋଇଥିଲା। ସଂଘ ପକ୍ଷରୁ ସରକାରକୁ ଅନୁରୋଧ କରାଯାଇଛି ଯେ ଏହି ଘଟଣା ନିମନ୍ତେ ଦୋଷୀମାନଙ୍କୁ ଚିହ୍ନଟ କରି ଶୀଘ୍ର ନୂତନ ତାରିଖ ଘୋଷଣା କରି ପରୀକ୍ଷା ପୁନର୍ବାର ନେଇ ଯୁବମାନଙ୍କ ଭବିଷ୍ୟ ସୁରକ୍ଷିତ କରାଯାଉ।
ଏହି ସମୟରେ ସଂଘ ତରଫରୁ ଏହାକୁ ମଧ୍ୟ ନିନ୍ଦା କରାଗଲା ଯେ ଡିଜିପି (କାରାଗାର ବିଭାଗ) ଓ ସ୍ପେସିଆଲ ରିକ୍ରୁଟମେଣ୍ଟ ଚେୟାରମ୍ୟାନ ସୁଶାନ୍ତ ନାଥଙ୍କ ବିରୋଧରେ କିଛି ରାଜନୈତିକ ନେତା ସୋସିଆଲ ମିଡିଆରେ ନିରାଧାର ଅଭିଯୋଗ କରୁଛନ୍ତି। ସଂଘ ଏହି କାର୍ଯ୍ୟର ବିରୋଧ କରି ଏପରି ଅନିୟମିତ ମତପ୍ରକାଶକୁ ଆଇ.ଟି. ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛି।
ଚିନ୍ତାର ବିଷୟ ହେଉଛି – ଏହି ଅନିଶ୍ଚିତତା ମଧ୍ୟରେ ଏକ ଲକ୍ଷ ତେପନ ହଜାର ଯୁବ ପ୍ରାର୍ଥୀଙ୍କ ଭବିଷ୍ୟ କେଉଁ ଦିଗକୁ ଯାଉଛି, ତାହାକୁ ନେଇ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଆଯିବା ଆବଶ୍ୟକ।
