ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ୍ ଖେଳିବା ପାଇଁ ଭାରତ ଆସିଥିବା ଅଷ୍ଟ୍ରେଲିଆ ଦଳର ଦୁଇ ଖେଳାଳିଙ୍କ ସହ ଇନ୍ଦୋରରେ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ଇନ୍ଦୋରରେ ହୋଟେଲରୁ କାଫେ ଯିବା ସମୟରେ କଥିତ ଭାବେ ଦୁଇ ଅଷ୍ଟ୍ରେଲିଆ ମହିଳା କ୍ରିକେଟରଙ୍କ ସହ ଅସଦାଚରଣ ହୋଇଥିବା ଜଣା ଯାଇଛି । ଏହି ଘଟଣା ଅକ୍ଟୋବର ୨୩ ଗୁରୁବାର ଘଟିଥିବା କୁହାଯାଉଛି ।
ମହିଳା କ୍ରିକେଟର ଘଟଣା ହେବା ମାତ୍ରେ ତୁରନ୍ତ ଏମରଜେନ୍ସି ସୂଚନା ଦେଇଥିଲେ । ସୂଚନା ମିଳିବା ମାତ୍ରେ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଷ୍ଟ୍ରେଲିଆ ଦଳର ସୁରକ୍ଷା ପରିଚାଳକ ଡେନି ସିମନ୍ସ ଗୁରୁବାର ସନ୍ଧ୍ୟାରେ ଏମଆଇଜି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏଫଆଇଆର ରୁଜୁ କରିବା ସହ ବାଇକରେ ବସିଥିବା ଅଭିଯୁକ୍ତ ଅକିଲକୁ ଗିରଫ କରିଛି ।
ଜଣେ ଅଧିକାରୀ କହିଛନ୍ତି ପୋଲିସ ଇନ୍ଦୋରର ଖଜରାନା ରୋଡ ଅଞ୍ଚଳରେ ଘଟଣାରେ ସାମିଲ ବ୍ୟକ୍ତିକୁ ଶୁକ୍ରବାର ଗିରଫ କରିଛି । ସବ ଇନ୍ସପେକ୍ଟର ନିଧି ରଘୁବଂଶୀ କହିଛନ୍ତି ଦୁଇ କ୍ରିକେଟର ନିଜର ହୋଟେଲରୁ ବାହାରି କାଫେ ଯାଉଥିବା ସମୟରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ଖେଳାଳିଙ୍କ ପିଛା କରିଥିଲା । ଆଉ ଦୁଇ କ୍ରିକେଟରଙ୍କ ମଧ୍ୟରୁ ଜଣକୁ ହୀନ ଉଦ୍ଦେଶ୍ୟରେ ଛୁଇଁ ଫେରାର ମାରିଥିଲା । ଦୁଇ ଖେଳାଳି ନିଜ ଟିମର ସୁରକ୍ଷା ଅଧିକାରୀ ଡେନି ସିମନ୍ସଙ୍କୁ କଲ୍ କରି ଘଟଣା ବିଷୟରେ ଅବଗତ କରାଇଥିଲେ । ସେ ସ୍ଥାନୀୟ ସୁରକ୍ଷା ସଂପର୍କ ଅଧିକାରୀଙ୍କ ସହ ଯୋଗାଯୋଗ କରି ଖେଳାଳିଙ୍କ ସହାୟତା ପାଇଁ ଏକ ଗାଡି ପଠାଇଥିଲେ ।
ସୂଚନା ମିଳିବା ମାତ୍ରେ ଯୁଗ୍ମ ପୋଲିସ କମିଶନର ହିମାନୀ ମିଶ୍ର ଦୁଇ ଖେଳାଳିଙ୍କୁ ଭେଟିଥିଲେ । ଦୁହିଁଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ବିରୋଧରେ ଏଫଆଇଆର ରୁଜୁ କରିଥିଲେ । ଅଧିକାରୀ କହିଛନ୍ତି, ଘଟଣା ସମୟରେ ଜଣେ ପଥଚାରୀ ସନ୍ଦିଗ୍ଧ ବାଇକର ନମ୍ବର ଲେଖି ନେଇଥିଲେ । ଯାହାରି ଆଧାରରେ ପୋଲିସ ଅଭିଯୁକ୍ତ ଅକିଲ ଖାନକୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବା ପୋଲିସ କହିଛି ।
