ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାତ୍ୟା ସମୀକ୍ଷା କରିଛନ୍ତି |ବାତ୍ୟା ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ବାତ୍ୟା ଆଜି ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାରେ ସ୍ଥଳ ଭାଗ ଛୁଇଁବ | ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରଭାବ ରହିବ | ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି | ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ହେବ ବିଶେଷ ପ୍ରଭାବିତ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବାତ୍ୟା ପ୍ରସ୍ତୁତି ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି।ମୋହନ ଚରଣ ମାଝୀ କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ | ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ | ଓଡ଼ିଶାରେ ୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି| ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି | ୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି | ୧ ହଜାର ୮୭୧ ଜଣ ଗର୍ଭବତୀ ସ୍ଥାନାନ୍ତରିତ ହୋଇଛନ୍ତି | ୮୨୨ଜଣଙ୍କୁ ସ୍ଥାନାନ୍ତର କରାଯିବ | ୨ ହଜାର ୬୯୩ ଗର୍ଭବତୀ ହେବେ ସ୍ଥାନାନ୍ତର | ବିଦ୍ୟୁତ ଓ ପାଣି ପାଇଁ ୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି ଏନଡିଆରଏଫ୍ ମୁତୟନ ହୋଇଛନ୍ତି| ପର୍ଯ୍ୟଟକମାନଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି,ଦେଓମାଳୀ ନ ଯିବା ପାଇଁ ସୂଚନା ଦିଆଯାଇଛି | ସ୍କୁଲ ଓ ଅଙ୍ଗନବାଡ଼ି ୩୦ ତାରିଖ ଯାଏଁ ବନ୍ଦ ଅଛି, ଆବଶ୍ୟକ ହେଲେ ଛୁଟି ବଢାଯିବ |
