ଭୁବନେଶ୍ବର : ଆଫ୍ରିକୀୟ ଦେଶ ସୁଦାନ (SUDAN)ରେ ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ଅପହରଣ ଖବର ଆସିବା ପରେ ଓଡ଼ିଶା ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ଏ ସଂପର୍କିତ ଖବର ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦର୍ଶଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ପରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ (MEA)କୁ ଏକ ପତ୍ର ଲେଖି ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି ଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ଏମଇଏକୁ ପତ୍ର ଲେଖି ସୁଦାନରେ ଥିବା ଭାରତୀୟ ଦୂତାବାସକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ସୁଦାନରେ ଥିବା ଭାରତର ରାଷ୍ଟ୍ରଦୂତ କହିଛନ୍ତି ଯେ ଆଦର୍ଶଙ୍କୁ ମକୁଳାଇବାକୁ ସୁଦାନ ସରକାରଙ୍କ ସହ ସେ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ ଯେ ୩୬ ବର୍ଷୀୟ ବେହେରାଙ୍କୁ ଖାର୍ତୁମ୍ ଠାରୁ ୧୦୦୦ କିଲୋମିଟର ଦୂରରେ ଥିବା ଅଲ୍ ଫାସିର୍ ସହରରୁ ଅପହରଣ କରାଯାଇଥିଲା। ରାପିଡ୍ ସପୋର୍ଟ ଫୋର୍ସ (RSF)ର ଲୋକମାନେ ଅପହରଣ କରିନେଇଛନ୍ତି । ସେଠାରୁ ତାଙ୍କୁ ନାୟାଲା ସହରକୁ ନିଆଯାଇଥିଲା, ଯାହା ଆରଏସଏଫର ଏକ ଗଡ଼ ଏବଂ ଦକ୍ଷିଣ-ପଶ୍ଚିମ ସୁଡାନର ଦକ୍ଷିଣ ଦାରଫୁରର ରାଜଧାନୀ, ଖାର୍ତୁମ୍ ଠାରୁ ୧୨୦୦ କିଲୋମିଟର ଦୂରରେ ଅବସ୍ଥିତ । ବେହେରା ୨୦୨୨ ମସିହାରେ ସୁଡାନରେ ସୋକରାତି ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ ।
