୮ ବଲରେ ୮ ଛକା, ୧୧ ବଲରେ ଅର୍ଦ୍ଧଶତକ। ଭାଙ୍ଗିଲା ଯୁବରାଜ-ଶାସ୍ତ୍ରୀଙ୍କ ମହାରେକର୍ଡ। ରଣଜୀ ଟ୍ରଫିରେ ଇତିହାସ ରଚିଲେ ମେଘାଳୟ ବ୍ୟାଟର ଆକାଶ ଚୌଧୁରୀ । ୧୧ ବଲରେ ଅର୍ଦ୍ଧଶତକ ହାସଲ କରି ବିଶ୍ବ ରେକର୍ଡ କରିଛନ୍ତି ଆକାଶ । ସୁରଟ କେସିକେ ପିଥଓ୍ଵାଲା ଗ୍ରାଉଣ୍ଡରେ ଅରୁଣାଚଳ ପ୍ରଦେଶ ବିପକ୍ଷ ଚଳିତ ରଣଜୀ ସିଜିନର ଏକ ମ୍ୟାଚରେ ଆକାଶ ମାତ୍ର ୧୧ ବଲରୁ ୫୦ ରନ କରି ବିଶ୍ବ ରେକର୍ଡ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ଓ୍ଵେନ ହ୍ଵାଇଟଙ୍କ ନାଁରେ ଥିଲା । ୨୦୧୨ରେ ଲିସେଷ୍ଟରସାୟର ଏବଂ ଏକ୍ସେସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଏହି ରେକର୍ଡ କରିଥିଲେ। ଆକାଶ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଓଭରରେ ଛଟି ଛକା ମାରିଛନ୍ତି । ଏହି କୀର୍ତ୍ତିମାନ ସ୍ଥାପନ କରିବାରେ ସେ ହେଉଛନ୍ତି ତୃତୀୟ ଖେଳାଳି।
ଏହା ବ୍ୟତୀତ ଏହି ଫର୍ମାଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ବି କରିଛନ୍ତି । ସେ ଲଗାତାର ୮ ବଲରେ ମାରିଛନ୍ତି ୮ ଛକା। ୧୧ ବଲରୁ ହାସଲ କରିଛନ୍ତି ଅର୍ଦ୍ଧଶତକ । ଗୋଟିଏ ଓଭରରେ ଛଅ ଛକା ମାରିବା ସହ ଆକାଶ ଚୌଧୁରୀ ରବି ଶାସ୍ତ୍ରୀଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ରବି ଶାସ୍ତ୍ରୀ ୧୯୮୪-୮୫ରେ ବରୋଦା ବିପକ୍ଷରେ ଗୋଟିଏ ଓଭରରେ ଛଅ ଛକା ମାରିଥିଲେ। ଅନ୍ତର୍ଜାତୀୟ ଟି-୨୦ରେ ଯୁବରାଜ ୧୨ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଆକାଶ ଚୌଧୁରୀ ଯୁବରାଜଙ୍କ ଏହି ମହାରେକର୍ଡ ବି ଭାଙ୍ଗିଛନ୍ତି। ଆଠ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଆକାଶ ନିଜ ଇନିଂସର ଆରମ୍ଭ ଡଟ୍ ବଲରୁ ଏବଂ ଦୁଇଟି ସିଙ୍ଗଲ ରନରୁ କରିଥିଲେ । ଏହା ପରେ ପରବର୍ତ୍ତୀ ଆଠଟି ବଲରେ ସେ ଆଠ ଛକା ମାରି ନିଜର ଅର୍ଦ୍ଧଶତକ ପୂରା କରିଛନ୍ତି । ୨୫ ବର୍ଷୀୟ ଆକାଶ ନିଜର ୩୧ତମ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଛନ୍ତି। ସେ ୨୦୧୯ରେ ପଦାର୍ପଣ କରିଥିଲେ। ସେ ୨୮ ଦିନିକିଆ ଓ ୩୦ଟି ଟି ଟ୍ବେଣ୍ଟି ଖେଳିଛନ୍ତି।
