ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶ୍ରୀନଗରର ନୌଗାମ୍ ପୁଲିସ ଷ୍ଟେସନ ନିକଟରେ ଦିଲ୍ଲୀ ଭଳି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ୩୦ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ପୋଡ଼ି ପାଉଁଶ ହୋଇଯାଇଛି। ପୁଲିସ ଷ୍ଟେସନ କୋଠାର ଏକ ଅଂଶ ମଧ୍ୟ ଭୁଶୁଡ଼ି ପଡ଼ିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ଶରୀରର କିଛି ଅଂଶ ୩୦୦ ଫୁଟ ଦୂର ପର୍ଯ୍ୟନ୍ତ ବିଛାଡ଼ି ପଡ଼ିଥିଲା। ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା ଏବଂ ଉଚ୍ଚ ଅଗ୍ନିଶିଖା ବାହାରିବାକୁ ଲାଗିଥିଲା। ଆକାଶରେ କଳା ଧୂଆଁ ବ୍ୟାପି ଯାଇଥିଲା।
