ରଘୁନାଥପୁର: ୭/୧୨ ରଘୁନାଥପୁର ସ୍ଥିତ ଶ୍ରୀଲୋ ନବଗ୍ରାମର ବିଶ୍ଵବ୍ୟାପ୍ତ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ଶାନ୍ତି ବାର୍ତ୍ତା ଦିବସ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ବାର୍ତ୍ତାରେ ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା ତଥା “ତୃତୀୟ ବିଶ୍ଵଯୁଦ୍ଧ ନ ହେବାର ବାର୍ତ୍ତା ରହିଛି । ଏହି କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳା ପ୍ରକ୍ରିୟାରେ ଶାନ୍ତିର ବାର୍ତ୍ତା ପ୍ରଚାର ଓ ପ୍ରସାର ମାଧ୍ୟମରେ କରାଯାଇଛି । ବିଗତ ଅନେକ ବର୍ଷ ଧରି ବିଶ୍ୱବ୍ୟାପ୍ତ ଅହମଦୀୟା ମୁସଲିମ ଜମାତର ସର୍ବୋଚ୍ଚ ମୁଖ୍ୟ ହଜରତ ମିର୍ଜା ମସରୁର ଅହମଦ ଦୁନିଆର ମହାଶାକ୍ତିଶାଳୀ ମାନଙ୍କୁ ସତର୍କ କରି ଆସୁଛନ୍ତି ଯେ ସେମାନେ ବିଂଶ ଶତାବ୍ଦିରେ ହୋଇଥିବା ଦୁଇଗୋଟି ଐତିହାସିକ ବିଧ୍ୱଂସକାରୀ ବିଶ୍ୱଯୁଦ୍ଧରୁ ଶିକ୍ଷା ହାସଲ କରିବା ଉଚିତ । ଏ ସଂପର୍କରେ ବିଶ୍ୱବ୍ୟାପ୍ତ ଅହମଦୀୟା ମୁସଲିମ ଜମାତର ସର୍ବୋଚ୍ଚ ମୁଖ୍ୟ ବିଭିନ୍ନ ଜାତି ଓ ସଂପ୍ରଦାୟର ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଯେ ସେମାନେ ଜାତିବାଦ ଓ ବ୍ୟକ୍ତିଗତ ଲାଭକୁ ଭୁଲି ସବୁ କ୍ଷେତ୍ରରେ ପ୍ରକୃତ ନ୍ୟାୟକୁ ପ୍ରତିଷ୍ଠା କରି ବିଶ୍ୱଶାନ୍ତି ଓ ନିରାପତ୍ତାକୁ ଅଗ୍ରାଧିକାର ଦିଅନ୍ତୁ ।
ଏହା ଏକ ଦୁଃଖଦ ଘଟଣା ଯେ ବିଶ୍ବ ଏବେ ଭୟାବହ ପରିସ୍ଥିତି ଦେଇ ଗତିକରୁଛି । ଏବେ ଚାରିଆଡେ ଅସ୍ଥିରତା ଓ ଅରାଜକତା ଦେଖାଦେଉଛି । ବିଶ୍ବବ୍ୟାପ୍ତ ଅହମଦୀୟା ମୁସଲିମ ଜମାତର ସର୍ବୋଚ୍ଚ ମୁଖ୍ୟ ହଜରତ ମିର୍ଜା ମସରୁର ଅହମଦ କୁହନ୍ତି; ସମୟର ଏହା ଅତ୍ୟନ୍ତ ଆବଶ୍ୟକତା ଯେ ଆଉ ଅଧିକ ଯୁଦ୍ଧ ଓ ରକ୍ତପାତ ନହେଉ । ଏଥି ପ୍ରତି ସମସ୍ତ ପ୍ରକାରର ପ୍ରୟାସ କରିବା ଉଚିତ୍ । ଏବେ ବି ସମୟ ଅଛି, ବିଶ୍ଵ ଧ୍ବଂସ ମୁଖରୁ ପଛକୁ ଚାଲିଆସୁ । ସମସ୍ତ ରାଷ୍ଟ୍ର ନିଜ ନିଜର ପ୍ରୟାସକୁ ମାନବର ବିକାଶ ପାଇଁ କଳହକୁ ସମାପ୍ତ କରି ଏକ କୂଟନୈତିକ ମାଧ୍ୟମରେ ଶାନ୍ତିର ମାର୍ଗକୁ ଅନୁସନ୍ଧାନ କରନ୍ତୁ । ସମସ୍ତେ ନିଜ ନିଜର ଗୁରୁ ଦାୟିତ୍ଵ ଏବେ ତୁଲାନ୍ତୁ ।
ବିଶ୍ୱର ମୁଖ୍ୟମାନେ ସମୟର ଗଭିରତାକୁ ବୁଝି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାର ଦାୟିତ୍ବକୁ ଉତ୍ତମ ଭାବେ ତୁଲାଇବା ଉଚିତ୍ । ପ୍ରଭୁ ସମସ୍ତ ନିରୀହ ଓ ଅସହାୟ ଲୋକମାନଙ୍କୁ ସୁରକ୍ଷିତ ରଖନ୍ତୁ । ବିଶ୍ଵରେ ପ୍ରକୃତ ଓ ଚିରସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେଉ ।
ବିଶ୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆମକୁ ନିମ୍ନ ଲିଖିତ ଦଶଗୋଟି ନୀତିଗୁଡ଼ିକୁ ପାଳନ କରିବା ଉଚିତ୍ । ୧. ନିଜ ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନନ୍ତୁ । ୨. ପୂର୍ଣ୍ଣ ନ୍ୟାୟ ପ୍ରତିଷ୍ଠା କରନ୍ତୁ ।୩. ବିଶ୍ୱବ୍ୟାପୀ ଏକତାକୁ ପ୍ରଶୟ ଦିଅନ୍ତୁ । ୪. ପରମାଣୁ ଅସ୍ତ୍ର-ଶସ୍ତ୍ର ବର୍ଜନ କରନ୍ତୁ । ୫. ଅସ୍ତ୍ରଶସ୍ତ୍ରର ବ୍ୟବସାୟରୁ ଲାଭ ଉପାର୍ଜନ କରିବା ବନ୍ଦ କରନ୍ତୁ । ୬. ଅର୍ଥନୈତିକ ସମାନତା ସୃଷ୍ଟି କରନ୍ତୁ ଏବଂ ଦାରିଦ୍ର୍ୟ ଦୂର କରନ୍ତୁ । ୭. ଦେଶର ବିକାଶ ଓ ଉନ୍ନତି ସକାଶେ ଉଦ୍ୟମ କରନ୍ତୁ । ୮. ଚରମପନ୍ଥୀ ଦଳର ପ୍ରତିବାଦ କରନ୍ତୁ । ୯. ମାନବ ଜାତିର ସେବା କରନ୍ତୁ । ୧୦. ପାରସ୍ପରିକ ଆସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତୁ ।
ଶାନ୍ତି ସ୍ଥାପନା ପାଇଁ ଉକ୍ତ ନୀତିଗୁଡ଼ିକୁ ବିଶ୍ବବାସୀଙ୍କୁ ପହଞ୍ଚାଇବା ପାଇଁ ବିଶ୍ଵବ୍ୟାପ୍ତ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ଏହି ବାର୍ତ୍ତାପ୍ରସାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅହମଦୀୟା ମୁସଲିମ ଜମାତ ଏକ ଆଧ୍ୟାତ୍ମିକ ଓ ଧାର୍ମୀକ ଜମାତ । ଯାହାର ଉଦ୍ଦେଶ୍ୟ “ପ୍ରେମ ସଭିଙ୍କ ପାଇଁ – ଘୃଣା କାହାକୁ ନାହିଁ ” । ଏହି ଭାବନାକୁ ନେଇ ବିଶ୍ୱବ୍ୟାପ୍ତ ଅହମଦୀୟା ମୁସଲିମ ଜମାତ ବିଶ୍ଵରେ ଶାନ୍ତି ସ୍ଥାପନା କରିବା ପାଇଁ ପ୍ରୟାସ କରିଚାଲିଛି । ଦେଶର ପ୍ରଗତି ପାଇଁ ସେବା କରି ଆସୁଛି । ପ୍ରଭୁ କରନ୍ତୁ କି ଆମ ଦେଶ ତଥା ବିଶ୍ଵ ଶାନ୍ତିମୟ ହେଉ । ଏହା ହିଁ ଆମର କାମନା ।
ଏହି କାର୍ଯ୍ୟକ୍ରମରେ ସଭାପତି ସୟଦ ନାସର ଅହମଦ, ମୌଲବି ନଜିର ଖାନ୍, ସୟଦ ଖଲିଲ ଅହମଦ, ସୟଦ ଶାହିଦ ଅହମଦ, ସୟଦ ଶମିମ ଅହମଦ ଏବଂ ସୟଦ ମୁନିଶ ଅହମଦଙ୍କ ସହ ସଂଗଠନର ବହୁ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
