ନୂଆଦିଲ୍ଲୀ ତା ୧୦/୧୨- ଜାତୀୟ ଇପିଏଫ ପେନସନର୍ସ ସଙ୍ଘ ଦ୍ୱାରା ଆୟୋଜିତ ଇପିଏଫ ପେନସନର୍ସ ମାନଙ୍କର ଧାରଣା ସମାବେଶ ଆଜି ଦିଲ୍ଲୀ ଯନ୍ତର ମନ୍ତର ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସମ ଚିନ୍ତାଧାରା ସଂଘ ମାନଙ୍କ ମିଳିତ ପ୍ରୟାସରେ ଆୟୋଜିତ ଏହି ସମାବେଶ ପ୍ରକାଶ ଏଣ୍ଡେ, କେ.କନକ ରାଜ ଓ ଭାଗ୍ୟଧର ବ୍ରହ୍ମାଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଭୀମରାଓ ଡୁଙ୍ଗରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉକ୍ତ ସମାବେଶରେ ଓଡିଶା ସମେତ କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୋଆ, ହରିୟାନା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ର , ତେଲେଙ୍ଗାନା, ତାମିଲନାଡୁ ଓ କେରଳ ଇତ୍ୟାଦି ତିରିଶ ଗୋଟି ରାଜ୍ୟ ମାନଙ୍କରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ପ୍ରତିନିଧି ମାନେ ଯୋଗଦେଇଥିଲେ। ରାଷ୍ଟ୍ରୀୟ ଉପସଭାପତି ତଥା ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମାଙ୍କ ନେତୃତ୍ୱରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ରାଜ୍ୟ ସଂଘର ବହୁ ପ୍ରତିନିଧି ଉକ୍ତ ଧାରଣା ଓ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ସମାବେଶକୁ ସମ୍ବୋଧିତ କରିବା ଅବସରରେ ମହାରାଷ୍ଟ୍ର ଓ କେରଳ ତଥା ଅନ୍ୟାନ୍ୟ ରାଜ୍ୟର ସାଂସଦ ମାନେ ଉଦବୋଧନ ଦେଇ ପେନସନର୍ସ ମାନଙ୍କ ଏହି ଦାବିକୁ ଦୃଢ ସମର୍ଥନ ଜଣାଇବା ସହ ସଂସଦରେ ଉପସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲେ। ଇପିଏଫ ପେନସନର୍ସ ମାନଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ଓ କ୍ରମାଗତ ଅବହେଳାକୁ ଉପସ୍ଥିତ ବକ୍ତାମାନେ ନିନ୍ଦା କରିବା ସହ ଏବାବଦରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ତଥା ବିରୋଧି ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସଦୟ ପ୍ରତିଶୃତି ପ୍ରଦାନ କରିଥିଲେ। ସଂଗଠନର ପ୍ରମୁଖ କର୍ମକର୍ତ୍ତା ଏଆଇସିସି ଇପିଏଫ ପେନସନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ଅତୁଲ ଦିଘେ, ଏନସିଆର ସଂଘର ଅଧ୍ୟକ୍ଷ ଗୁରୁମୂଖ ସିଂ,ଏମ. ଜନାର୍ଦ୍ଧନ ରେଡ୍ଡୀ, ଦାଦା ଟୋକାରାମ ଯୋଡ଼େ, ସିବିଟି ସଭ୍ୟ ଆର. କର୍ମାନୁଆଲ, ଏଆଇଟିୟୁସି ର ଜାତୀୟ ସାଧାରଣ ସମ୍ପାଦିକା ଅମରଜିତ କାଉଲ ତଥା ଅନ୍ୟ ରାଜ୍ୟ ମାନଙ୍କର ପ୍ରମୁଖ ବରିଷ୍ଠ ନେତୃତ୍ୱ ମାନେ ଉଦବୋଧନ ଦେଇ ଦାବି ପୂରଣ ନହେଲେ ଆଗାମୀ ଦିନରେ ସମଗ୍ର ଭାରତ ବର୍ଷରେ ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ଆସୋସିଏସନର ଓଡିଶା ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାଶ, ଉପଦେଷ୍ଟା ନଟବର ଆଚାର୍ଯ୍ୟ, ଉପ ସଭାପତି ଗୀତାଞ୍ଜଳି ପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ. ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ଅଧ୍ୟକ୍ଷ ତଥା ପେନସନର୍ସ ଆସୋସିଏସନର ଉପସଭାପତି ସରୋଜ କାନ୍ତ ମଲ୍ଲିକ , ଉପ ସଭାପତି ବିକ୍ରମ କୁମାର ଛୋଟରାୟ ଓ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକ ପ୍ରମୁଖ ସମାବେଶର ନେତୃତ୍ୱ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ସାହୁ, ଉର୍ବଶୀ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ମାୟାଧର ନାୟକ, ଗଗନ ବିହାରୀ ପାଇକରାୟ, ବସନ୍ତ କୁମାର ଦାଶ ଓ ଏ. ଭେଙ୍କଟ ରମଣ ପ୍ରମୁଖ ଉପସ୍ଥିତ ଥିଲେ।
୪ ଦଫା ପ୍ରମୁଖ ଦାବି ଯଥା ସର୍ବନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭତ୍ତା ପ୍ରଦାନ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ବର୍ଦ୍ଧିତ ହାରରେ ତୁରନ୍ତ ପେନସନ ପ୍ରଦାନ ,ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ନିଶୁକ୍ଳ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଦାବି ନେଇ ଏହି ଧାରଣା ସମାବେଶ ଆୟୋଜନ କରାଯାଇଥିଲା।
