ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ଆଜି ଦିଲ୍ଲୀବାସୀଙ୍କୁ କଲବଲ କରିଛି। ସୋମବାର ସକାଳେ ଦିଲ୍ଲୀ ଓ ଏହାର ନିକଟସ୍ଥ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଯାଇଥିଲା। ବାୟୁର ମାନ ଅତି ସାଂଘାତିକ ଶ୍ରେଣୀକୁ ଚାଲିଯାଇଥିଲା। ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା ଖୁବ୍ କମ୍ ଥିଲା। ଏଥିପାଇଁ ଉଭୟ ବିମାନ ଓ ରେଳ ଚଳାଚଳ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଦିଲ୍ଲୀରେ ୨୨୮ ବିମାନ ବାତିଲ ହୋଇଥିବାବେଳେ ୪୦୦ ବିମାନର ଚଳାଚଳ ବିଳମ୍ବ ହୋଇଛି। ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶାବଳୀ ଜାରି ହୋଇଛି। ଏକ୍ସରେ ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ। ଯାତ୍ରୀମାନଙ୍କ ଅସୁବିଧା ନ ହେବା ପାଇଁ ଆମେ ସମସ୍ତ ପକ୍ଷଙ୍କ ସହ କାମ କରୁଛୁ। ସଦ୍ୟ ସୂଚନା ପାଇଁ ଯାତ୍ରୀମାନେ ସେମାନଙ୍କ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ସେହିଭଳି ଘନ କୁହୁଡ଼ି ଯୋଗୁ ଟ୍ରେନ୍ ଚଳାଚଳ ବି ପ୍ରଭାବିତ ହୋଇଛି। ଦିଲ୍ଲୀରେ ୯୦ରୁ ଅଧିକ ଟ୍ରେନ୍ ପ୍ରାୟ ୬ରୁ ୭ ଘଣ୍ଟା ବିଳମ୍ବରେ ଚଳାଚଳ କରିଛି।
ଦିଲ୍ଲୀରେ ବାୟୁ ମାନ ଲଗାତାର ତୃତୀୟ ଦିନରେ ସାଂଘାତିକ ଶ୍ରେଣୀରେ ରହିଛି। ୪ଟି ମନିଟରିଂ ଷ୍ଟେସନ୍ ଯଥା ଅଶୋକ ବିହାର, ଜାହାଙ୍ଗିରପୁରୀ, ରୋହିଣୀ, ୱାଜିପୁରରେ ସୋମବାର ସକାଳ ୭ଟାରେ ଏକ୍ୟୁଆଇ ୫୦୦ ଥିଲା। ଏକ୍ୟୁଆଇ ଲଗାତାର ଖରାପ ହେବାରେ ଲାଗିଥିବାରୁ ବିଦେଶୀ ରାଷ୍ଟ୍ରଗୁଡ଼ିକ ଦିଲ୍ଲୀ ସମେତ ଉତ୍ତର ଭାରତରେ ରହୁଥିବା ସେମାନଙ୍କର ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶାବଳୀ ଜାରି କରିଛନ୍ତି। ବ୍ରିଟେନ, କାନାଡା ଓ ସିଙ୍ଗାପୁର ସେମାନଙ୍କ ନାଗରିକଙ୍କୁ ସତର୍କ କରିଛନ୍ତି।
