ସମ୍ବଲପୁର ( ପି ଏନ):
ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଜ୍ୟୋତିବିହାରର ବିଭିନ୍ନ ବିଭାଗର ୧୯୮୮–୯୦ ବ୍ୟାଚ୍ ସ୍ନାତକୋତ୍ତର ପୁରାତନ ଛାତ୍ରଛାତ୍ରୀମାନଙ୍କ ସଂଘ ଜେଭି–୯୦ ର ବାର୍ଷିକ ବନ୍ଧୁମିଳନ–୨୦୨୫ ରବିବାର ଦିନ ବିଶ୍ଵବିଦ୍ୟାଳୟ ପରିସରସ୍ଥ ମିନି ଅଡିଟୋରିୟମ ରେ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ସ୍ମୃତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

୨୦୦୭ ମସିହାରୁ ଆରମ୍ଭ ହୋଇ ନିରନ୍ତର ଭାବେ ଆୟୋଜିତ ହୋଇଆସୁଥିବା ଏହି ବନ୍ଧୁମିଳନ ଗତ ପାଞ୍ଚ ବର୍ଷ ଧରି ଜ୍ୟୋତିବିହାରରେ ନିରନ୍ତର ଅନୁଷ୍ଠିତ ହୋଇଆସୁଛି। ଏହାକୁ ଜେଭି–୯୦ ଆଲୁମନାଇ ସଂଘର ମୁଖ୍ୟ ସମନ୍ୱୟକ ଶ୍ରୀ ସୁରେଶ ଚନ୍ଦ୍ର କରଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଏବଂ ସୋନପୁର ଜିଲ୍ଲାପାଳ ତଥା ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳସଚିବ ଡଃ. ନୃପରାଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭାକୁ ଗରିମାମଣ୍ଡିତ କରିଥିଲେ।
ଓଡ଼ିଆ ଦୈନିକ ‘ପର୍ଯ୍ୟବେକ୍ଷକ’ ଓ ଦି କାଲିଙ୍ଗ କ୍ରୋନିକଲ୍’ର ମୁଖ୍ୟ ସମ୍ପାଦକ , ଏବଂ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ସ୍ମଲ୍ ଆଣ୍ଡ ମିଡିୟମ୍ ନିଉଜ଼ପେପ ର, ନ୍ୟାସନାଲ୍ ମିଡିଆ କନଫେଡେରେସନ୍ ଓ ରାଷ୍ଟ୍ରୀୟ ପତ୍ରକାର ମହାସଂଘ, ନୂଆଦିଲ୍ଲୀର ଜାତୀୟ ଅଧ୍ୟକ୍ଷ ଡଃ. ପବିତ୍ର ମୋହନ ସାମନ୍ତରାୟ, ଜେଭି–୯୦ ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଅଟୁଟ ରହିଥିବା ମିତ୍ରତା, ଦୃଢ଼ ବନ୍ଧନ ଓ ପାରସ୍ପରିକ ସହଯୋଗର ଆତ୍ମା ଉପରେ ଗଭୀର ଭାବନା ବ୍ୟକ୍ତ କରିଥିଲେ।
ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ୍ ଅଫ୍ ଫିଜିକ୍ସ ର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର ଡଃ. କରୁଣାକର ନନ୍ଦ ଓ ବରଗଡ଼ ବନଖଣ୍ଡ ଅଧିକାରୀ ଡଃ. ସରୋଜ ପଣ୍ଡା ସେମାନଙ୍କ ବୃତ୍ତିଗତ ଜୀବନଯାତ୍ରା ଓ ଅଭିଜ୍ଞତା ସାଥୀମାନଙ୍କ ସହ ଅଂଶୀଦାର କରିଥିଲେ। ସେମାନେ ଦେଶ ଗଠନରେ ଶିକ୍ଷାର ମହତ୍ତ୍ୱ ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସାମାଜିକ ଓ ଶିକ୍ଷାନୁଷ୍ଠାନିକ ଅବଦାନ ଉପରେ ବିଶେଷ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିବାରେ ଦିଲୀପ ବଡପଣ୍ଡା, ନରେଶ ଅଗ୍ରୱାଲ ଓ ପବିତ୍ର ନାରାୟଣ ନେପାକ ପ୍ରମୁଖ ସକ୍ରିୟ ଭୂମିକା ନିଭାଇଥିଲେ।
ଏହି ଅବସରରେ ବୃତ୍ତିଗତ କ୍ଷେତ୍ରରେ ଉଲ୍ଲେଖନୀୟ ସାଫଲ୍ୟ ଅର୍ଜନ କରିଥିବା ଶ୍ରୀମତୀ ଉପମା କାଲୋ (ଆଇଏଏସ୍), ମୀନାକ୍ଷୀ ରାଜ, ପ୍ରଫେସର ଡଃ. କରୁଣାକର ନନ୍ଦ ଓ ଡଃ. ସରୋଜ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା।
ଶେଷରେ ଶ୍ରୀ ନରେଶ ଅଗ୍ରୱାଲଙ୍କ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା। ପରେ ହୋଇଥିବା ଅନୌପଚାରିକ ଆଲୋଚନା ଓ ମିଳନ ମାଧ୍ୟମରେ କ୍ୟାମ୍ପସ ଜୀବନର ସ୍ମୃତିଗୁଡ଼ିକ ପୁନଃ ସଜୀବ ହୋଇଉଠିଥିଲା ଏବଂ ବନ୍ଧୁତ୍ୱର ସମ୍ପର୍କ ଆହୁରି ଦୃଢ଼ ହୋଇଥିଲା।
ଏହି ବନ୍ଧୁମିଳନରେ ବିନୟ ପଟେଲ, କ୍ରିଷ୍ଣା ମହା ନ୍ତି, ଗୀତାଞ୍ଜଳି ମିଶ୍ର, ସୁପ୍ରିତା ଦାଶ, ଅମିତ ନାୟକ, ସୁନୀଲ ବାରିକ, ଦିଲୀପ ବଡପଣ୍ଡା, ସୁଶାନ୍ତ ମହାପାତ୍ର, ପ୍ରଦୀପ ମିଶ୍ର, ସୌଦାମିନୀ ସେଠୀ, ଅଶୋକ ପୁରୋହିତ, ରବି ନାରାୟଣ ଦାଶ, ନିମାଇଁ ଚରଣ ପ୍ରଧାନ, ନାରାୟଣ ଦାଶ, ରମେଶ ପଟି, ଜୟଦେବ ଆଡ଼ବର, ତ୍ରିନାଥ ବେହେରା, ହେମନ୍ତ ପଟେଲ, ତ୍ରିବେଣୀ ପ୍ରୁସେଠ, ଉପେନ୍ଦ୍ର ପଟେଲ, ବିଶ୍ୱଜିତ ହୋତା, ଦେବେନ୍ଦ୍ର ଭୋଇ, ସୌମେନ ପଟେଲ, ସୁଶାନ୍ତ ପଟେଲ, ସଞ୍ଜୀବ ମହାନ୍ତି, ପବିତ୍ର ନେପାକ, ଉପମା କାଲୋ, ମନୋଜ ସାହୁ, ରାଜଶ୍ରୀ ମିଶ୍ର (ଜଲି), ପ୍ରଭା ଶର୍ମା ଓ ଗଜେନ୍ଦ୍ର ସାହୁ ସହ ଅନେକ ସଦସ୍ୟ ଉପସ୍ଥିତ ଥିଲେ।
