ଭୁବନେଶ୍ୱର: ଏମ୍ସ ଭୁବନେଶ୍ବର ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି। ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ ସମ୍ପନ୍ନ କରିଛି। ଏହି ଜୀବନ ରକ୍ଷାକାରୀ ଚିକିତ୍ସା ସେବା ପ୍ରଦାନ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ। ଚଳିତ ମାସ ୨୦ ତାରିଖରେ ଏମ୍ସ ଭୁବନେଶ୍ୱର ପ୍ରଥମ ଲିଭର ପ୍ରତିରୋପଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ୨୦୨୩ରେ ଆରମ୍ଭ ହୋଇଥିବା ଲିଭର ପ୍ରତିରୋପଣ କାର୍ଯ୍ୟକ୍ରମର ପରିକଳ୍ପନା, ସେହି ବର୍ଷ ହିଁ ସରକାରୀ ଲାଇସେନ୍ସ ପାଇଥିଲା, ପ୍ରକ୍ରିୟା ଆରମ୍ଭ କରିବାକୁ। ଯକୃତ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ବର୍ଷ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଯକୃତ ପ୍ରତିରୋପଣ ଓପିଡି। ପ୍ରତିରୋପଣ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ, ୧୦ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ପ୍ରତିରୋପଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ନଭେମ୍ବର ୨୦୨୫ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।
