ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା । ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରୀ ରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍ ଉପଲବ୍ଧ ହେବ । ଯେଉଁ ଯାନବାହାନ ମାଲିକମାନେ ୧୦ ତାରିଖ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିକଟସ୍ଥ RTOରୁ ଏହି ସବୁଜ ଷ୍ଟିକର୍ ପାଇପାରିବେ । ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ ।
ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ବୈଧ PUCC ଥିବା ଯାନବାହାନଗୁଡ଼ିକୁ ହିଁ ସବୁଜ ଷ୍ଟିକର୍ ପ୍ରଦାନ କରାଯିବ । ଷ୍ଟିକର୍ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସରେ ଥିବା ରେକର୍ଡକୁ ଯାଞ୍ଚ କରିବେ । ସେହିପରି ଆସନ୍ତା ୧୦ ତାରିଖ କିମ୍ବା ପରେ ଯେଉଁମାନେ PUCC କରିବେ ସେମାନେ ସ୍ବୀକୃତିପ୍ରାପ୍ତ ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରୁ ଗ୍ରୀନ ଷ୍ଟିକର ପାଇପାରିବେ ।
