ଭୁବନେଶ୍ୱର : ବାରାଣସୀରେ ୭୨ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ୨୦୨୬କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଦ୍ଘାଟନ କରିଥିଲେ । ଏହି ଅବସରରେ ସୋମବାର ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ସବୁ ରାଜ୍ୟରେ ଥିବା ଭଳିବଲ୍ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟାନ ସଦସ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ସର୍ବସମ୍ମତି କ୍ରମେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଭିଏଫ୍ ଆଇର ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଭଲିବଲ୍ ସଂଘର ସଭାପତି ଡ଼ ଅଚ୍ୟୁତ ସାମନ୍ତ ଓ ସମ୍ପାଦକ ଡ ଗଗନେନ୍ଦୁ ଦାଶ ନିମନ୍ତ୍ରଣ ପାଇଥିଲେ । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିଲେ । ତେବେ ଭିଏଫ୍ଆଇର ସଭାପତି ଓ ସମ୍ପାଦକ ଶ୍ରୀ ସାମନ୍ତଙ୍କୁ ଟେଲିଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଶ୍ରୀ ସାମନ୍ତଙ୍କ ସମ୍ମତି ପରେ ସଂଘ ପକ୍ଷରୁ ତାଙ୍କୁ ମୁଖ୍ୟ ପୃଷ୍ଠପୋଷକ ମନୋନୀତ କରାଯାଇଥିଲା । କ୍ରୀଡ଼ା କ୍ଷେତ୍ରକୁ ବ୍ୟାପକ ଅବଦାନ ବିଶେଷ କରି ଭଲିବଲ୍ କ୍ଷେତ୍ରରେ ଯୋଗଦାନ ପାଇଁ ତାଙ୍କୁ ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ କରାଯାଇଛି । ଆସନ୍ତା ୪ବର୍ଷ ପାଇଁ ଶ୍ରୀ ସାମନ୍ତ ମୁଖ୍ୟ ପୃଷ୍ଠପୋଷକ ରହିବେ । ଏହି ପରିପ୍ରେକ୍ଷୀରେ ଜାତୀୟ ଯୁବ ଭଲିବଲ୍ ଚାମ୍ପିୟନ୍ସିପ୍ କିଟ୍ରେ ଆୟୋଜନ କରାଯିବା ନେଇ ଏହି ବୈଠକରେ ଅନୁମୋଦନ କରାଯାଇଥିଲଶ ।
ଏହି ଅବସରରେ ଶ୍ରୀ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍ଆଇଭିବି) ପକ୍ଷରୁ ଗ୍ରାଣ୍ଡ କ୍ରସ୍ ପୁରସ୍କାର କରାଯାଇଥିବାରୁ ଓ ଶ୍ରୀ ସାମନ୍ତ ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନ୍ କାଉନ୍ସିଲ୍ ସଦସ୍ୟ ହୋଇଥିବାରୁ ଭିଏଫ୍ଆଇ, ଏଫ୍ଆଇଭିବିକୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିପାଇଁ ଶ୍ରୀ ସାମନ୍ତ ଭିଏଫ୍ଆଇର ସଭାପତି ବୀରେନ୍ଦ୍ର କନୱାର ଓ ସାଧାରଣ ସମ୍ପାଦକ ରାମାନନ୍ଦ ଚୌଧୁରୀ ତଥା ଭିଏଫ୍ଆଇର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ଭଲିବଲ୍ ସଂଘକୁ ମଧ୍ୟ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି ।
