ମୁମ୍ବାଇ: ମହାରାଷ୍ଟ୍ର ପୌର ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏହା ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ହୋଇନଥିଲେ ମଧ୍ୟ ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟରେ କେଉଁ ଦଳର ଅଧିକ ପ୍ରଭାବ ରହିଛି ତାହା ଏହି ନିର୍ବାଚନରୁ ଜଣାପଡ଼ିଯିବ। ମହାରାଷ୍ଟ୍ରରେ ମୁମ୍ବାଇ ସମେତ ୨୯ଟି ମହାନଗର ନିଗମର ୨୮୬୯ ଆସନରେ ଗତକାଲି ମତଦାନ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି।ଏହି ନିର୍ବାଚନରେ ମହାରାଷ୍ଟ୍ରର ପ୍ରଭାବଶାଳୀ ଦୁଇ ରାଜନୈତିକ ପରିବାର ପାୱାର ଓ ଠାକ୍ରେ ପରିବାର ଏକାଠି ନିର୍ବାଚନ ଲଢ଼ୁଥିବାରୁ ସେମାନଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ବୃହନମୁମ୍ବାଇ ନଗର ନିଗମ (ବିଏମ୍ସି) ନିର୍ବାଚନ ପାଇଁ ଉଦ୍ଧବ ଠାକ୍ରେଙ୍କ ଶିବସେନା (ୟୁବିଟି) ଓ ରାଜ୍ ଠାକ୍ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ର ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଏମ୍ଏନ୍ଏସ୍ ସହିତ ମେଣ୍ଟ କରିବାକୁ ଉଦ୍ଧବ ରାଜ୍ୟରେ କଂଗ୍ରେସର ହାତ ଛାଡ଼ିଦେଇଥିଲେ।
