ଭୁବନେଶ୍ୱର : ଢେଙ୍କାନାଳ ଗଜମରାରେ ସ୍ଥାପନ ହେବ ବଡ଼ ପ୍ରକଳ୍ପ । ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେସ ସାମଗ୍ରୀ । ୧୭ ହଜାର ୨୫୦ କୋଟି ଟଙ୍କା ନିବେଶ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷରେ ୨୦ ହଜାର ନିଯୁକ୍ତ ସୁଯୋଗ ସୃଷ୍ଟି ହେବ । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହା ଉପରେ ମୋହର ଲାଗିଛି । କଲ୍ୟାଣୀ ଗ୍ରୁପ ପକ୍ଷରୁ ଇଣ୍ଟିଗ୍ରେଟେଡ ଏଜ ମାନ୍ୟୁଫ୍ୟାକଚର କମ୍ପ୍ଲେକ୍ସ ହେବ । ଢେଙ୍କାନାଳ ଗଜମରାରେ ୧୧ ଶହ ଏକର ଜମିରେ ନିର୍ମାଣ କରାଯିବ । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଏହି ସୂଚନା ଦେଇଛନ୍ତି । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ-୨୦୨୬ ପ୍ରଣୟନକୁ କ୍ୟାବିନେଟ୍ ମୋହର ବାଜିଛି ।
ଗୃହ, ଅବକାରୀ, ଜଙ୍ଗଲ ଏବଂ ବାଣିଜ୍ୟ ଓ ପରିବହନ ବିଭାଗରେ କାର୍ଯ୍ୟରତ ପୁଲିସ ଏବଂ ଅନ୍ୟ ଯୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଏହି ନିୟମରେ ଆୟୋଗରେ ସରକାରଙ୍କ ଦ୍ବାରା ଜଣେ ଅଧ୍ୟକ୍ଷ ଓ ଦୁଇଜଣ ସଦସ୍ୟ ରହିବେ । ଏମାନଙ୍କ ନିଯୁକ୍ତି ପାଇଁ ନିୟମାବଳୀ ପ୍ରସ୍ତୁତ ହୋଇଛି । ଆଜି ଏହାକୁ କ୍ୟାବିନେଟ୍ ମୋହର ମାରିଛି । ସେହିପରି ମାର୍ଚ୍ଚ ଯାଏ ଓଡିଶାରୁ ଦୁବାଇ ଓ ସିଙ୍ଗାପୁରକୁ ଜାରି ରହିବ ବିମାନ ଉଡ଼ାଣ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୦ ବିଭାଗର ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି ।
