କଟକ : ଚଳିତ ବଜେଟରୁ ଓଡ଼ିଶା ଇନଫ୍ରାଷ୍ଟ୍ରକ୍ଚର , ରେଲୱେ, ରୁରାଲ ଡେଭଲପମେଣ୍ଟ ଆଦିରୁ ଓଡ଼ିଶା ଭଲ ଲାଭ ପାଇବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟତ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଲାଭ ପାଇପାରିବ ଓଡ଼ିସା । ଗତଥର ଏଥିରେ୧୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଥିବାବେଳେ ଚଳିତ ଥର ପ୍ରାୟ ୧୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । କେନ୍ଦ୍ର ବଜେଟରୁ ଟେକ୍ସଟାଇଲ, ମତ୍ସ୍ୟ ଚାଷ, ପଶୁପାଳନ କ୍ଷେତ୍ରରେ ଓଡ଼ିଶା ଭଲ ଲାଭ ପାଇବ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
କେନ୍ଦ୍ର ବଜେଟ୍ ୨୦୨୬-୨୭ ଓଡ଼ିଶାକୁ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ଏକ ଶକ୍ତିଶାଳୀ ବ୍ଲୁ ପ୍ରିଣ୍ଟ ପ୍ରଦାନ କରିଛି । ଏଭଳି ଏକ ଭବିଷ୍ୟତବାଦୀ, ଯୁବଶକ୍ତି-କେନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତି ଭିତ୍ତିକ ‘କେନ୍ଦ୍ର ବଜେଟ୍ ୨୦୨୬-୨୭’ ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ବଜେଟ୍ ସବକା ସାଥ୍, ସବକା ବିକାଶ ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛି, ଯାହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନେ ବିଶେଷ ଭାବରେ ଲାଭ ପାଇବେ ।
ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେର-ଅନୁଗୋଳ ଠାରୁ ପାରାଦୀପ-ଧାମରା ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥର ବିକାଶ ଏବଂ ରାଜ୍ୟରେ ନୂତନ ‘ରେୟାର ଆର୍ଥ କରିଡର’ର ପ୍ରତିଷ୍ଠା ଓଡ଼ିଶାର ଶିଳ୍ପ ଓ ଖଣିଜ ଭିତ୍ତିଭୂମିକୁ ଏକ ନୂତନ ସ୍ତରକୁ ନେଇଯିବ । ପୂର୍ବୋଦୟ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ‘ଇଷ୍ଟ-କୋଷ୍ଟ ଡେଭଲପମେଣ୍ଟ କରିଡର’, ପୂର୍ବରେ ଦାନକୁନିରୁ ସୁରଟକୁ ସଂଯୋଗ କରୁଥିବା ନୂତନ ଫ୍ରେଟ୍ କରିଡର ଜରିଆରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଓ ବାଣିଜ୍ୟର ବ୍ୟାପକ ସୁଯୋଗ ସୃଷ୍ଟି ହେବ । ପୂର୍ବ ଭାରତରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ ପ୍ରତିଷ୍ଠା ରାଜ୍ୟର ଅଭିବୃଦ୍ଧିକୁ ଗତି ଦେବ । ଏହି ବଜେଟ୍ ଓଡ଼ିଶାର ସାଧାରଣ ଜନତା, ଚାଷୀ, ମହିଳା, ଯୁବ, ଜନଜାତି ସମେତ ସବୁବର୍ଗଙ୍କୁ ଗୁରୁତ୍ୱ ଦେଉଥିବା ଏକ ଜନହିତକର ବଜେଟ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
