କଟକ : କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିବ । ଜିଲ୍ଲାପାଳଙ୍କ ସହ ଆଲୋଚନାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରାତନ ଛାତ୍ରୀ ଓ ଆନ୍ଦୋଳନରତ ଛାତ୍ରୀ । ଆଲୋଚନା ଫଳପ୍ରଦ ହୋଇନଥିଵାରୁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଛାତ୍ରୀ। ଅନ୍ୟପଟେ ଆଲୋଚନା ଫଳପ୍ରଦ ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ। ଶୈଳବାଳା ମହାବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପାଇଁ ସରକାର ଜମି ଯୋଗାଇ ଦେବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ମହାବିଦ୍ୟାଳୟ ଜମି ପ୍ରସଙ୍ଗ ସମାଧାନ ପରେ ବିଶ୍ବବିଦ୍ୟାଳୟ ମାନ୍ୟତା ଦାଵି ବାବଦରେ ପଦକ୍ଷେପ ନିଆଯିବ ।
ନିଜସ୍ଵ ଜମି ନ ଥିଲେ, ୟୁଜିସି ଗାଇଡଲାଇନ ଅନୁଯାୟୀ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନରେ ସମସ୍ୟା ସୃଷ୍ଟି ହେବ ବୋଲି କହିଛନ୍ତି । ଆଗ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା କରାଯିବ ଏବଂ ତା ପରେ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ ଆବେଦନ କରିବା ଉଚିତ୍ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପିର କିଛି ନେତୃବୃନ୍ଦ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବୈଠକରେ ଉପସ୍ଥିତ ଥିଲେ। ଶୈଳବାଳା କଲେଜକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବିରେ ଆଜି ୩୩ ତମ ଦିବସରେ ପହଞ୍ଚିଛି ଛାତ୍ରୀଙ୍କ ଆନ୍ଦୋଳନ। ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟକୁ ବର୍ଷ ବର୍ଷ ଧରି କରାଯାଉଛି ଅଣଦେଖା । ଶୈଳବାଳା ମହାବିଦ୍ୟାଳୟ ୧୧୩ ବର୍ଷରେ ପଦାର୍ପଣ କରି ସାରିଥିବା ବେଳେ, ଏହି ଶିକ୍ଷାନୁଷ୍ଠାନ ପରେ ଖୋଲିଥିବା ମହାବିଦ୍ୟାଳୟଗୁଡ଼ିକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି ।
