ଭୁବନେଶ୍ୱର : ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–III ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯାଉଛି।
ଆସନ୍ତା ମାର୍ଚ୍ଚ ୬, ୨୦୨୬ ତାରିଖରେ ଭାରତର ମାନ୍ୟବର ସ୍ଵରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ନିମନ୍ତେ ୭ ମାର୍ଚ୍ଚ ଠାରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଭୁବନେଶ୍ଵରସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଥିଲେ ଯେ , ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ Bharatiya Nyaya Sanhita (BNS), Bharatiya Nagarik Suraksha Sanhita (BNSS) ଓ Bharatiya Sakshya Adhiniyam (BSA)କୁ ସଂଶୋଧନ କରାଯାଇଛି । ଏହି ନୂତନ ଆଇନଗୁଡ଼ିକ ୧ ଜୁଲାଇ ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି । ଯାହା ଫଳରେ ଔପନିବେଶିକ ଯୁଗରେ ପ୍ରଚଳିତ ଥିବା “ଦଣ୍ଡ” ବ୍ୟବସ୍ଥା ଏବେ “ନ୍ୟାୟ” ବ୍ୟବସ୍ଥାକୁ ପରିବର୍ତ୍ତନ ହୋଇଛି ବୋଲି ଡିଜିପି କହିଥିଲେ ।
ପୀଡ଼ିତଙ୍କ ଅଧିକାର ଓ ସମ୍ମାନକୁ ପ୍ରାଥମିକତା ଦିଆଯାଇ ସମୟ ସୀମା ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ହେଉଛି ନୂତନ ଆଇନର ମୂଳ ଲକ୍ଷ୍ୟ । “ବିଳମ୍ବିତ ନ୍ୟାୟ ମାନେ ନ୍ୟାୟର ଅସ୍ୱୀକାର” — ଏହି ସିଦ୍ଧାନ୍ତକୁ ନୂତନ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ଡିଜିପି କହିଥିଲେ । ଏହା ବ୍ୟତୀତ e-Sakshya ମାଧ୍ୟମରେ ଡିଜିଟାଲ୍ ପ୍ରମାଣ ପରିଚାଳନା, NAFIS (National Automated Fingerprint Identification System) ଦ୍ୱାରା ବାୟୋମେଟ୍ରିକ ପରିଚୟ, ମୋବାଇଲ୍ ଫରେନସିକ ୟୁନିଟ୍ , ପ୍ରଯୁକ୍ତି ବିଦ୍ୟା ସହାୟତାରେ ତଦନ୍ତ ପ୍ରକ୍ରିୟା ଆଦି ସଂକ୍ରାନ୍ତରେ ବିଶଦ ଭାବେ ପ୍ରଦର୍ଶନୀରେ ଉପସ୍ଥାପନ କରାଯିବ ।
