ଦେହରାଦୁନ, ମାର୍ଚ୍ଚ ୧୧:
ଉଡିଶାର ସାମ୍ବାଦିକମାନଙ୍କ ଏକ ପ୍ରତିନିଧିମଣ୍ଡଳ ମଙ୍ଗଳବାର ଉତ୍ତରାଖଣ୍ଡରେ ଚାରିଦିନିଆ ମିଡିଆ ଦୌରାରେ ପହଞ୍ଚିଛନ୍ତି। ଭାରତ ସରକାରର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ପ୍ରେସ ସୂଚନା ବ୍ୟୁରୋ (PIB) ଭୁବନେଶ୍ୱର ପକ୍ଷରୁ ଏହି ପ୍ରେସ ଟୁର୍ର ଆୟୋଜନ କରାଯାଇଛି।

ଏହି ପ୍ରେସ ଦୌରାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତ ସରକାରଙ୍କ ବିଭିନ୍ନ ବିକାଶମୂଳକ ପରିଯୋଜନା ବିଷୟରେ ସାମ୍ବାଦିକମାନଙ୍କୁ ସ୍ଥଳ ପରିଦର୍ଶନ ମାଧ୍ୟମରେ ପ୍ରତ୍ୟକ୍ଷ ଅନୁଭବ ଦେବା ସହିତ ରାଜ୍ୟର ସାଂସ୍କୃତିକ, ଐତିହାସିକ ଓ ପର୍ଯ୍ୟଟନ ସମ୍ଭାବନାକୁ ଉଜାଗର କରିବା। ଏହି ଯାତ୍ରା ମାଧ୍ୟମରେ ସାମ୍ବାଦିକମାନେ ସରକାରଙ୍କ ବିଭିନ୍ନ ବିକାଶ ପ୍ରକଳ୍ପ ଓ କଳ୍ୟାଣମୂଳକ ଯୋଜନା ସମ୍ପର୍କିତ ସୂଚନା ସଂଗ୍ରହ କରି ନିଜ ନିଜ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବେ।
ପ୍ରେସ ସୂଚନା ବ୍ୟୁରୋ ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ଜେନା ଓ ସୂଚନା ସହାୟକ ବିକାଶ ରଞ୍ଜନ ଦଲାଇଙ୍କ ସହ ଉଡିଶାର ବିଭିନ୍ନ ଅନୁଭବୀ ସାମ୍ବାଦିକମାନଙ୍କ ଏହି ଦଳ ଚାରିଦିନ ଧରି ଉତ୍ତରାଖଣ୍ଡର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଓ କେନ୍ଦ୍ର ସରକାରଙ୍କ ଗୁରୁତ୍ୱାକାଙ୍କ୍ଷୀ ବିକାଶ ପ୍ରକଳ୍ପଗୁଡ଼ିକର ସ୍ଥଳ ପରିଦର୍ଶନ କରିବେ।
ଏହି କାର୍ଯ୍ୟସୂଚୀ ଅନୁସାରେ ମିଡିଆ ପ୍ରତିନିଧିମଣ୍ଡଳ ଉତ୍ତରାଖଣ୍ଡର ରାଜ୍ୟପାଳ ଲେଫ୍ଟିନେଣ୍ଟ ଜେନେରାଲ୍ ଗୁରମୀତ ସିଂହଙ୍କ ସହ ଶିଷ୍ଟାଚାର ଭେଟ କରିବେ। ସେହିପରି ସେମାନେ ଶୌର୍ୟ ସ୍ଥଳ, ଫରେଷ୍ଟ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ୍, ଟେହ୍ରୀ ଜଳବିଦ୍ୟୁତ ପ୍ରକଳ୍ପ, ନ୍ୟାସନାଲ୍ ଇଣ୍ଡିଆନ୍ ମିଲିଟାରି କଲେଜ୍, ଋଷିକେଶ–କର୍ଣ୍ଣପ୍ରୟାଗ ରେଲ ପ୍ରକଳ୍ପ ସହିତ ଦିଲ୍ଲୀ–ଦେହରାଦୁନ ଏଲିଭେଟେଡ୍ ଏକ୍ସପ୍ରେସୱେର ପରିଦର୍ଶନ କରିବେ।
ଏହି ଦୌରା ସମୟରେ ସାମ୍ବାଦିକମାନେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି ରାଜ୍ୟରେ ଚାଲୁଥିବା ବିକାଶମୂଳକ କାର୍ଯ୍ୟସମୂହ ବିଷୟରେ ବିସ୍ତୃତ ସୂଚନା ଅର୍ଜନ କରିବେ।
ଏହି ଯାତ୍ରା ମାଧ୍ୟମରେ ଉଡିଶାର ସାମ୍ବାଦିକମାନେ ଉତ୍ତରାଖଣ୍ଡର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା ଓ ପାରମ୍ପରିକତାକୁ ଅନୁଭବ କରିବା ଓ ବୁଝିବାର ସୁଯୋଗ ମଧ୍ୟ ପାଇବେ।
ଏହି ପ୍ରେସ ଟୁର୍ ମାଧ୍ୟମରେ ସାମ୍ବାଦିକମାନେ ଭାରତ ସରକାରଙ୍କ ବିଭିନ୍ନ ବିକାଶ ପ୍ରକଳ୍ପ ଓ କଳ୍ୟାଣମୂଳକ ଯୋଜନା ସମ୍ପର୍କିତ ସୂଚନା ସଂଗ୍ରହ କରି ସେଗୁଡ଼ିକୁ ନିଜ ନିଜ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବେ।
