ଭୁବନେଶ୍ୱର : କ୍ରସ ଭୋଟିଂ ପରେ ବିଧାୟକ ରମେଶ ଜେନାଙ୍କ ବିରୋଧରେ କଂଗ୍ରେସର କଡ଼ା ଆଭିମୁଖ୍ୟ । ହଟିବନି ନିଲମ୍ବନ । ବିଧାୟକ ପଦ ରଦ୍ଦ ନେଇ ବାଚସ୍ପତିଙ୍କୁ ଆବେଦନ କରାଯିବ । ବିନା ରମେଶ ଜେନାରେ ଗଞ୍ଜାମ କଂଗ୍ରେସ ଚାଲିପାରିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପରେ ଗଞ୍ଜାମ କଂଗ୍ରେସର ବଡ଼ ବୈଠକରେ ଆଲୋଚନା ହୋଇଛି ।
ଅନ୍ୟପଟେ ବାପା କଂଗ୍ରେସ ଏଜେଣ୍ଟ ଥିଲେ, ପୁଅ ଭୋଟ କୁଆଡ଼େ ଯାଇଥିବ ବୋଲି ପ୍ରଶ୍ନ କରିଥିଲେ ରମେଶ ଜେନା । ଏହାକୁ ନେଇ ରମେଶ ଜେନାଙ୍କୁ ବିଧାୟକ ସାଗର ଦାସ ଜବାବ ଦେଇନ୍ତି । ରାଜ୍ୟସଭା ନିର୍ବାଚନରେ ସେ ମତଦାନ କରିବା ବେଳେ କଂଗ୍ରେସ ରାଜ୍ୟ ପ୍ରଭାରୀ ଏଜେଣ୍ଟ ଥିଲେ ବୋଲି ସାଗର କହିଛନ୍ତି ।
କ୍ରସ ଭୋଟିଂକୁ ନେଇ କଂଗ୍ରେସ ରାଜନୀତି ସରଗରମ । ଭକ୍ତ ଯେଉଁ ରାଜ୍ୟରେ ପ୍ରଭାରୀ ହୋଇଛନ୍ତି ସେଠି ସଂଗଠନ କଣ ହୋଇଛି ଓ କାହିଁକି ସେଠାରୁ ତାଙ୍କୁ ବିଦା କରାଯାଇଛି ତାର ତର୍ଜମା କରାଯାଉ ବୋଲି କହି ବର୍ଷିଥିଲେ ରମେଶ ଜେନା । ସେପଟେ କଡ଼ା ଜବାବ ରଖିଛନ୍ତି ଭକ୍ତ ଦାସଙ୍କ ପୁଅ ବିଧାୟକ ସାଗର ଦାସ । କହିଛନ୍ତି, ରମେଶ ଜେନାଙ୍କ ଲେଖାପଢ଼ା ଟିକିଏ କମ ତ ସେ ବୋଧେ ସଠିକ ସୂଚନା ପାଇନାହାନ୍ତି ।
ମୁଁ ଭୋଟ ଦେବାକୁ ଯିବା ବେଳେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଏଜେଣ୍ଟ ଥିଲେ । କେହି ଟଙ୍କା ପଇସା ଦେଇ ଆମକୁ କିଣିପାରିବନି । କୌଣସି କ୍ରାଇମ କରିନୁ କି ଆମର ବେଆଇନ ବେପାର ନାହିଁ ଯେଉଁଥିପାଇଁ ସରକାରରୁ ସୁରକ୍ଷା ଦରକାର । ରମେଶ ଜେନା ଧୋକା ଦେବା ପରେ ଯୁକ୍ତି ବାଢ଼ିଛନ୍ତି । ସତ କଣ ସମସ୍ତେ ଜାଣିଛନ୍ତି ।
