ଯାଜପୁର ଜିଲ୍ଲାରେ ଏକ ହୃଦୟବିଦାରକ ସଡକ ଦୁର୍ଘଟଣାରେ ତିନୋଟି ଜୀବନ ନଷ୍ଟ ହୋଇଥିବା ବେଳେ ଜଣେ ଶିଶୁ କନ୍ୟା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଜୀବନ ସଙ୍ଗ୍ରାମ କରୁଛନ୍ତି।
ବଡ଼ଚଣା ଥାନା ଅନ୍ତର୍ଗତ ସିହା ଗ୍ରାମର ବୈରାଗୀ ସାହୁଙ୍କ ସାନ ପୁଅ ସୁବ୍ରତ ସାହୁ (୩୬) ଓ ତାଙ୍କ ଗର୍ଭବତୀ ପତ୍ନୀ ଅନ୍ନପୂର୍ଣ୍ଣା ପାଳ (୩୦) ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ୪ ବର୍ଷର ଝିଅ ଆରାଧ୍ୟା ଗୁରୁତର ଆହତ ହୋଇ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସୁବ୍ରତ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜାରକାରେ ଜଣେ ଡାକ୍ତରଙ୍କ ନିକଟକୁ ନେଇଥିଲେ। ପରୀକ୍ଷା ପରେ ସ୍କୁଟିରେ ପତ୍ନୀ ଓ ଝିଅଙ୍କୁ ବସାଇ ଚଣ୍ଡିଖୋଲ ଆଡ଼କୁ ଫେରୁଥିବା ସମୟରେ ଧର୍ମଶାଳା ଥାନା ଶଙ୍ଖାରିଡ଼ିହ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଦୁର୍ଘଟଣା ପରେ ପ୍ରଥମେ ସମସ୍ତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ସୁବ୍ରତ, ତାଙ୍କ ପତ୍ନୀ ଓ ଗର୍ଭସ୍ଥ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ବିସ୍ତାରିତ ହୋଇଛି।
