ଭୁବନେଶ୍ବର : ବିଧାୟକାଙ୍କ ଘରେ ପୋଲିସ ଖାନତଲାସୀ ପରେ ତେଜିଲା ରାଜନୀତି । ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ ନେଇ ଭୁବନେଶ୍ବର ବାସଭବନରେ ଚଢଉ କରିଛି କେସିଙ୍ଗା ପୋଲିସ । ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ ନର୍ଲା ତହସିଲଦାର । ତାଙ୍କ ଅଭିଯୋଗ ପରେ ତଦନ୍ତ ଓ ଲିଗାଲ ନୋଟିସ ଦେବାକୁ ପୋଲିସ ଆସିଥିବା କହିଛନ୍ତି କଳାହାଣ୍ଡି ଏସପି । ବିଧାୟିକାଙ୍କ ଘରେ କିନ୍ତୁ ପୋଲିସ ଧସେଇ ପଶିଥିବା କହିଛନ୍ତି ତାଙ୍କ ଘରର ସହାୟିକା । ଏହାକୁ ନେଇ ତେଜିଛି ରାଜନୀତି । ବିନା ୱାରେଣ୍ଟରେ ପୋଲିସର ଚଢଉ ନେଇ ଘେରିଛି ବିଜେଡି । ଏହା ରାଜନୈତିକ ଷଡ଼ଯନ୍ତ୍ର ହୋଇଥିଲେ ଆଇନର ଆଶ୍ରୟ ନେବାକୁ କହିଛି ବିଜେପି ।
ଗତ ୧୫ ତାରିଖରେ ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନରେ କୁଆଡେ ହତ୍ୟା ଧମକ ଦେଇଥିଲେ । କେସିଙ୍ଗା ଥାନାରେ ତହସିଲଦାରଙ୍କ ଅଭିଯୋଗ ପରେ କେସିଙ୍ଗା ପୋଲିସ ପକ୍ଷରୁ ଚଢାଉ ହୋଇଥିବା କହିଛନ୍ତି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା । ସେପଟେ ବିଧାୟିକା ନଥିବା କହିବା ସତ୍ତ୍ବେ ଜୋରଜବରଦସ୍ତ ୧୦ରୁ ୧୨ଜଣ ପୋଲିସ ତାଙ୍କ ଘରେ ପଶିଥିବା ଅଭିଯୋଗ କରିଛନ୍ତି ବିଧାୟିକାଙ୍କ ଘରୋଇ ସହାୟିକା । ଘରେ କେହି ନଥିବା ବେଳେ ହଠାତ ପୋଲିସ ପଶିଆସିବା ସହ ଦୁଇଟି ଘରର ଝରକା ଭାଙ୍ଗିଥିବା ସେ କହିଛନ୍ତି ।
