ରାଉରକେଲା : ପୁଣି ଥରେ ମାଓ ସଂଗଠନକୁ ବଡ଼ ଝଟକା । ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସର ବାରମ୍ବାର ସଚେତନତା ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ମୁଖ୍ୟ ସ୍ରୋତକୁ ଫେରିଛନ୍ତି ଜଣେ ମାଓ ସଙ୍ଗଠନରେ ଗରିଲା ବାହିନୀରେ ସକ୍ରିୟ ଥିବା ମହିଳା ମାଓବାଦୀ ।
ମାଓ ନେତା ଅନମୋଲ ସଂସ୍ପର୍ଶରେ ଆସି ଗତ ଦୁଇ ବର୍ଷ ପୂର୍ବରୁ ମାଓ ସଙ୍ଗଠନରେ ସାମିଲ ଥିବା ମଙ୍ଗଡ଼ି ହୋନହଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ ମାଓ ସଂଗଠନର ଏଲ୍.ଜି.ଏସ୍.ଏମ୍ । (ଗରିଲ୍ଲା ସ୍କ୍ୱାଡ୍) ର ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ । ମଙ୍ଗଡିଙ୍କ ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ହୋଲୋମୁଲି ଗାଁରେ ।
ସେ ମାଓବାଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଂଗଠନରେ ସାମିଲ ହୋଇଥିଲେ । ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ । ବିଶେଷ କରି ବାଙ୍କ ପଥର ଖଣି ବିସ୍ଫୋରଣ ଏବଂ ରେଳପଥ ଆଇ.ଇ.ଡି ବିସ୍ଫୋରଣ ଭଳି ଘଟଣାରେ ତାଙ୍କର ସଂପୃକ୍ତି ଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଆଜି ସେ ବିଧିବଦ୍ଧ ଭାବେ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ୨ ଲକ୍ଷ ୬୫ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ।
