କାକଟପୁର,(ପି.ଏନ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ପୁରୀ ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ ଓ ସହର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ଭାବେ ଯୁବନେତା ପ୍ରତାପ ଖୁଣ୍ଟିଆ ମନୋନୀତ ହୋଇଛନ୍ତି। ତୃଣମୂଳ ସ୍ତରରୁ ନିଜ ବଂଶଗତ ପୂର୍ବଜଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ରାଜନୀତିରେ ସକ୍ରିୟ ଭାବେ ଯୋଗଦେଇ ଅସ୍ତରଙ୍ଗ ବ୍ଲକ କଂଗ୍ରେସକୁ ସୁଦୃଢ଼ କରିବାରେ ଶ୍ରୀ ଖୁଣ୍ଟିଆଙ୍କ ଭୂମିକା ଦଳୀୟ ନେତୃତ୍ୱଙ୍କ ଦୃଷ୍ଟିକୁ ଆସିଥିଲା।ସେ ବିଗତ ଦିନରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରତାପଙ୍କ ଧର୍ମପତ୍ନୀ ମଞ୍ଜୁଲତା ଖୁଣ୍ଟିଆ କଂଗ୍ରେସ ପ୍ରାର୍ଥୀ ଭାବେ ନଇଗୁଆଁ ଗ୍ରାମପଞ୍ଚାୟତରୁ ୧୨୪୬ ଅଧିକ ଭୋଟରେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ସମେତ ବ୍ଲକ ଅଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ କରିବାରେ ଚେଷ୍ଟା ଜାରି ରଖିଛନ୍ତି। କଂଗ୍ରେସ ଦଳର ଜଣେ ଯୁବ ସଂଗଠକ ଭାବେ ଅସ୍ତରଙ୍ଗ ବ୍ଲକ ସମେତ କାକଟପୁର ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟତା ହାସଲ କରିଥିବା ପ୍ରତାପ ଖୁଣ୍ଟିଆଙ୍କ ଉପରେ ରାଜ୍ୟ ନେତୃତ୍ଵ ଆସ୍ଥା ପ୍ରକଟ କରି ବ୍ଲକ ସଭାପତି ଭାବେ ଚୟନ କରିବା ତାଙ୍କ ଦାୟିତ୍ୱକୁ ବହୁଗୁଣିତ କରିଥିବା ସେ କହିଛନ୍ତି।ତାଙ୍କ ଉପରେ ଏହି ନୂଆ ଦାୟିତ୍ଵ ନ୍ୟସ୍ତ ହେବାକୁ ନେଇ ସେ ସର୍ବ ଭାରତୀୟ କଂଗ୍ରେସ ଦଳ ଅଧ୍ୟକ୍ଷ ମାଲିକାର୍ଜୁନ ଖର୍ଗେ, ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧି,ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିଶ୍ର, କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଶ୍ଵ ଭୂଷଣ ଦାସ,ପ୍ରାକ୍ତନ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ବାଉରୀ ବନ୍ଧୁ ମହାନ୍ତି ପ୍ରମୁଖଙ୍କ କୃତଜ୍ଞତା ଜଣାଇଛନ୍ତି।
