ସୁଦୂର ସାଉଦି ଆରବରେ ଗୁଞ୍ଜରିଲା ଓଡ଼ିଆ ପ୍ରାଣର ସ୍ପନ୍ଦନ । ବିଶ୍ୱର ସାମ୍ପ୍ରତିକ ଅଶାନ୍ତ ପରିସ୍ଥିତି ମଧ୍ୟରେ ଏକତା ଓ ଶାନ୍ତିର ବାର୍ତ୍ତା ନେଇ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘କଳିଙ୍ଗନ୍’ ପକ୍ଷରୁ ପାଳିତ ହୋଇଯାଇଛି ଉତ୍କଳ ଦିବସ । ସାଉଦି ଆରବର ପ୍ରତିଷ୍ଠିତ ଅନୁଷ୍ଠାନ ‘କଳିଙ୍ଗନ୍’ ର ସଦସ୍ୟମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଦାମାମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଉତ୍ସବରେ ପ୍ରାୟ ୨୦୦ରୁ ଅଧିକ ଓଡ଼ିଆ ପରିବାର ଏକାଠି ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ୱଶାନ୍ତି ପାଇଁ ୨ ମିନିଟ୍ର ନିରବ ପ୍ରାର୍ଥନା କରାଯାଇଥିଲା ।”
ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ମଙ୍ଗଳାଚରଣରୁ ଆରମ୍ଭ ହୋଇ ସମ୍ବଲପୁରୀର ତାଳେ ତାଳେ ଦର୍ଶକଙ୍କୁ ବିଭୋର କରିଥିଲା । କୁନି କୁନି ପିଲାମାନେ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଗୌରବମୟ ଇତିହାସ ଉପରେ ଦେଇଥିବା ବକ୍ତବ୍ୟ ସମସ୍ତଙ୍କ ମନ ମୋହିଥିଲା ।” କାର୍ଯ୍ୟକ୍ରମକୁ କଳିଙ୍ଗନ୍ କୋର୍ କମିଟିର ସଦସ୍ୟ ସଫଳତାର ସହ ପରିଚାଳନା କରିଥିଲେ । ବିଦେଶ ମାଟିରେ ରହି ନିଜ ଜନ୍ମମାଟିର ସଂସ୍କୃତି ଓ ଜଗନ୍ନାଥ ପରମ୍ପରାକୁ ପ୍ରସାର କରିବାର ଏହି ଅଭିନବ ପ୍ରୟାସ ନିଶ୍ଚିତ ଭାବେ ଗର୍ବର ବିଷୟ
