ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ଟେନସନ ଯୋଗୁଁ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି । ଯୁଦ୍ଧ ପାଇଁ ବିମାନ ସେବା ବାତିଲ । ମେ’ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଦିଲ୍ଲୀ-ତେଲ୍ ଆଭିଭ୍ ବିମାନ ସେବା । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ନେଇ ପଶ୍ଚିମ ଏସିଆ ଯୁଦ୍ଧ ପାଇଁ ବିମାନ ସେବା ବାତିଲ ହୋଇଛି ।
ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ଯୁଦ୍ଧ କାରଣରୁ ଏୟାର ଇଣ୍ଡିଆ ଏକ ବଡ଼ ଘୋଷଣା କରିଛି । ଆସନ୍ତା ୩୧ ମେ, ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରୁ ଇସ୍ରାଏଲର ତେଲ୍ ଆଭିଭ୍ ମଧ୍ୟରେ ଚାଲୁଥିବା ସମସ୍ତ ବିମାନ ସେବାକୁ ସ୍ଥଗିତ ରଖାଯାଇଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ ଜାରି ରହିଥିବାରୁ ବିମାନ ଚଳାଚଳ ବିପଜ୍ଜନକ ହୋଇପଡ଼ିଛି । ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ବାରମ୍ବାର ମିସାଇଲ୍ ଆକ୍ରମଣ ଯୋଗୁଁ ଯୁଦ୍ଧ ଅଞ୍ଚଳର ଆକାଶପଥକୁ ସୁରକ୍ଷିତ ମନେ କରାଯାଉନାହିଁ ।
ଯେଉଁମାନେ ଏହି ସମୟ ମଧ୍ୟରେ ଟିକେଟ୍ ବୁକ୍ କରିଥିଲେ, ସେମାନେ ନିଜ ଟିକେଟର ଟଙ୍କା ଫେରସ୍ତ ପାଇପାରିବେ ବୋଲି କୁହାଯାଇଛି । ଅନ୍ୟ ଦିନ ପାଇଁ ବୁକିଂ କରିପାରିବେ। ଏଥିପାଇଁ ଏୟାର ଇଣ୍ଡିଆର ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇ ଛି। ଇସ୍ରାଏଲରେ ଥିବା ହଜାର ହଜାର ଭାରତୀୟ ଏବେ ଜର୍ଡାନ କିମ୍ବା ଇଜିପ୍ଟ ଦେଇ ଭାରତ ଫେରିବାକୁ ଚେଷ୍ଟା କରିପାରନ୍ତି । ଏୟାର ଇଣ୍ଡିଆ କହିଛି ଯେ, ଯେତେବେଳେ ପରିସ୍ଥିତି ସାଧାରଣ ହେବ ଏବଂ ଉଡ଼ାଣ ପାଇଁ ଆକାଶପଥ ସୁରକ୍ଷିତ ରହିବ, ସେତେବେଳେ ପୁଣି ବିମାନ ସେବା ଆରମ୍ଭ କରାଯିବ ।
