ସମ୍ବଲପୁର : ରାଜ୍ୟରେ ପଛୁଆବର୍ଗ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁମାନଙ୍କର ସାମାଜିକ ସ୍ଥିତି ଅତି ଦୟନୀୟ l ଓଡ଼ିଶାରେ 24 ବର୍ଷର ସରକାର ଯିବା ପରେ ବିଜେପି ନେତୃତ୍ବାଧିନ ଡବଲ୍ ଇଂଜିନ ସରକାର ଶାସନକୁ ଆସିଲା । ନୂତନ ସରକାର ଆସିବାର ଦେଢବର୍ଷ ବିତିଯାଇଥିଲେ ମଧ୍ୟ ପଛୁଆ ବର୍ଗମାନଙ୍କ ପାଇଁ ସରକାର କିଛି କଲେନାହିଁ । କେନ୍ଦ୍ରରେ ୧୧ ବର୍ଷ ବିତିବା ସହିତ ରାଜ୍ୟରେ ଶାସନ କରିବା ପରେ ମଧ୍ଯ ଓବିସି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ସେପରି ଠୋସ ପଦକ୍ଷେପ ନେଲେନାହିଁ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ, ଓଡ଼ିଶାରେ ଡ଼ବଲ ଇଂଜିନ୍ ସରକାର ଗଠନ କଲେ ସମସ୍ତ ଉପଭୋକ୍ତାମାନଙ୍କୁ ପ୍ରଧାନମନ୍ତ୍ରୀ 200 ୟୁନିଟ ବିଜୁଳି ଛାଡ଼ କରିବେ । କିନ୍ତୁ ଏହା ଭିତରେ ଟାଟା କମ୍ପାନୀ ବିଜୁଳି ଛାଡ଼ କରିବେ କଣ ଓଲଟା ଦାଦାଗିରି କରି ଟଙ୍କା ଅସୁଲ କରୁଛନ୍ତି । ରାଜ୍ୟରେ ନାରୀ ନିର୍ଯ୍ୟାତନା, ସଂଖ୍ୟାଳଘୁ, ଦଳିତ ଓ ଆଦିବାସୀମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ିଚାଲିଛି । ପଛୁଆବର୍ଗର ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର କଥା କେବଳ ଭାଷଣରେ କହୁଛନ୍ତି, କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ସ୍ଥିତି ଠିକ୍ ଓଲଟା ବୋଲି ଅଭିଯୋଗ କରିଛନ୍ତି ରାଷ୍ଟ୍ରୀୟ ପଛୁଆବର୍ଗ ଦଳିତ ଆଦିବାସୀ ସଂଖ୍ୟାଲଘୁ ମହାସଭାର ସଭାପତି ଅଶୋକ କୁମାର ମଲ୍ଲିକ ଓ ସମ୍ପାଦକ ଅନାଦି ଚରଣ ସାହୁ l ଆଜି ବିଭିନ୍ନ ଦାବି ନେଇ ସମ୍ବଲପୁର ଠାରେ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ରାଷ୍ଟ୍ରୀୟ ପଛୁଆବର୍ଗ ଦଳିତ ଆଦିବାସୀ ସଂଖ୍ୟାଲଘୁ ମହାସଭାର ଶତାଧିକ ଲୋକେ ଯୋଗଦେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
