ଭୁବନେଶ୍ୱର : ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍ ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ ସମିସନ ଲାଇନ୍ ଉଦ୍ଘାଟନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ୩ଟି ନୂତନ ଗ୍ରୀଡ୍ ସବ୍ ଷ୍ଟେସନ – ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍ .ସି.ବି. ମେଡିକାଲରେ ସ୍ଥାପନ କରାଯାଇଛି । ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ଲାଭାନ୍ବିତ ହେବେ । ଏହା ସହିତ ଭୁବନେଶ୍ବରକୁ ଏକ ବିକଳ୍ପ ବିଦ୍ୟୁତ ଉତ୍ସ ସହିତ ସଂଯୋଗ ମଧ୍ୟ କରାଯାଇଛି । ଆଗାମୀ ଦିନରେ କଟକ ଓ ଭୁବନେଶ୍ବରକୁ ଏକାଧିକ ଫିଡର ଲାଇନ ଦ୍ବାରା ସଂଯୁକ୍ତ କରାଯିବ । ଏହାଦ୍ବାରା ରାଜଧାନୀବାସୀ ନିରନ୍ତର ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଗୁଡିକ ବହୁ ପୂର୍ବରୁ ମଞ୍ଜୁରୀ ପାଇଥିଲେ ମଧ୍ୟ କୋର୍ଟ କେସ୍ ଓ ବିଭିନ୍ନ ସମସ୍ୟା ଯୋଗୁ ଏ ଗୁଡିକର କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା । ନୂଆ ସରକାର ଦାୟିତ୍ବ ଗ୍ରହଣ କଲାପରେ, ଏହି ପ୍ରକଳ୍ପ ଉପରେ ଗୁରୁତ୍ବ ଦିଆଯାଇ ସମସ୍ତ ସମସ୍ୟାର ସମାଧାନ କରି ବର୍ଷକ ତଳେ କାମ ଆରମ୍ଭ ହୋଇଥିଲା । ମାତ୍ର ୧ ବର୍ଷ ମଧ୍ୟରେ OPTCL ପକ୍ଷରୁ ୪ଟି ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି । ଏଥିମଧ୍ୟରୁ ନୟାପଲ୍ଲୀ ଗ୍ରୀଡ ଗତବର୍ଷ ଠାରୁ ବିଦ୍ୟୁତ ସେବା ଆରମ୍ଭ ହୋଇସାରିଛି ।
ରାଜଧାନୀ ବାସୀଙ୍କୁ ବିଶ୍ବସ୍ତରୀୟ ବିଦ୍ୟୁତସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦୃଢ ସଂକଳ୍ପ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଯେଉଁଠି ଦୃଢ ଇଛାଶକ୍ତି ଥାଏ, ସେଠାରେ ଅସମ୍ଭବ ସମ୍ଭବ ହୁଏ ’। ସେଥିପାଇଁ ଆମେ ମାତ୍ର ୧ ବର୍ଷ ଭିତରେ ୪ଟି ଗ୍ରୀଡ ସବ୍ -ଷ୍ଟେସନ କାମ ସମ୍ପୂର୍ଣ୍ଣ କରିପାରିଲୁ । ଭୁବନେଶ୍ୱରର ବିଦ୍ୟୁତ ଶକ୍ତି ଚାହିଦା ଦୁଇଗୁଣା ହେବ । ଯାହା ବର୍ତ୍ତମାନ ଏକ ହଜାର ମେଗାୱାଟ୍ ଅଛି ତାହା ୨୦୩୦ ସୁଦ୍ଧା ଦୁଇ ହଜାର ମେଗାୱାଟ୍ ରେ ପହଁଚିବ ।
ଏହି ଅବସରରେ ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡିକର ପୁନରୁଦ୍ଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ ଥିବା ଧନୁଆ ନଦୀର ପୁନଃରୁଦ୍ଧାର ପାଇଁ ଦ୍ଵିତୀୟ ଫେଜ୍ ରେ ୭୫ କୋଟି ଟଙ୍କା ଅନୁମୋଦନ ହୋଇସାରିଛି । ଏଥିସହିତ ସଂଜୀବନୀ ଯୋଜନାରେ ଦୟା ନଦୀର ପୁନଃରୁଦ୍ଧାର ପାଇଁ ୧୭୦
