ରାଉରକେଲା : ଦିନିକିଆ ଗସ୍ତରେ ରାଉରକେଲା ଆସିବେ ମହାମହିମ । ଏପ୍ରିଲ ୨୧ରେ ରାଉରକେଲା ଗସ୍ତ କରି ୧୫୭ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ୧୧ଟା୧୦ରେ ରାଉରକେଲାରେ ପହଞ୍ଚିବେ । ୪୮ କୋଟି ଟଙ୍କା ବ୍ୟୟରେ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରର ଉଦଘାଟନ କରିବେ ।
୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ ମଧ୍ୟ ଲୋକାର୍ପିତ ହେବ । କୋଏଲ ନଦୀକୂଳ ରିକ୍ରିଏସନ ପାର୍କ, ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମର ମଧ୍ୟ ଉଦଘାଟନ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।
ରାଷ୍ଟ୍ରପତିଙ୍କ ଗସ୍ତକାଳରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୧୦ହଜାରରୁ ଅଧିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏବଂ ୩ହଜାରରୁ ଅଧିକ ସାଂସ୍କୃତିକ ଗୋଷ୍ଠୀଙ୍କ ଦ୍ୱାରା ଏକ ବିଶାଳ ସାଂସ୍କୃତିକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗ ଦ୍ୱାରା ପ୍ରାୟ ୩୦ଟି ଷ୍ଟଲ୍ ବିଶିଷ୍ଟ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଜୁଏଲ ଓରାମ । ଅପରାହଣ ୪ଟା୫ ମିନିଟରେ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ।
