ଭୁବନେଶ୍ବର: ବଢ଼ିବ କି ଲୋକସଭାରେ ଆସନ ସଂଖ୍ୟା? ୫୪୩ରୁ ୮୫୦ ଆସନ ବୃଦ୍ଧି ପାଇଁ କାଲିଠାରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ । କିନ୍ତୁ ସମ୍ବିଧାନ ସଂଶୋଧନ ବିଲ ପାରିତ କରିବାକୁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ତେଣୁ ସବୁ ଦଳର ସହଯୋଗ ଲୋଡ଼ି ପୂର୍ବରୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଦଳ ଗୁଡ଼ିକ ମହିଳା ସଂରକ୍ଷଣକୁ ସମର୍ଥନ କରୁଥିଲେ ମଧ୍ୟ କିଛି ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି । ସେପଟେ ଲୋକସଭାରେ ସିଟ ସଂଖ୍ୟା ବଢ଼ିଲେ ସଂସଦରେ ଉତ୍ତର ଭାରତର ରାଜ୍ୟଗୁଡ଼ିକର ପ୍ରତିନିଧିତ୍ବ ଅଂଶ ବଢ଼ିବ। କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ବ ଅଂଶ କମିବ । ଏହାକୁ ନେଇ ଆରମ୍ଭ ହେଲାଣି ଅସନ୍ତୋଷ ।
ବଢିବ ଲୋକସଭା ଆସନ ସଂଖ୍ୟା । ୫୪୩ରୁ ଆସନ ସଂଖ୍ୟା ବୃଦ୍ଧି ହେବ ୮୫୦ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବୃଦ୍ଧି ହେବ ସିଟ ସଂଖ୍ୟା । କାଲିଠାରୁ ତିନିଦିନ ଧରି ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏନେଇ ବିଲ ଆଗତ ହେବ। ଲୋକସଭା ଆସନ ବୃଦ୍ଧି ଓ ମହିଳା ସଂରକ୍ଷଣ ବିଲ ଆଗତ ହେବ । ୩୩ପ୍ରତିଶତ ସଂରକ୍ଷଣ ସହ ସଂସଦରେ ମହିଳାଙ୍କ ପାଇଁ ଆସନ ସଂଖ୍ୟା ୨୮୦ ରୁ ୨୮୩ ହେବ। ତେବେ ସ୍ବତନ୍ତ୍ର ଅଧିବେଶନରେ ପାରିତ ହେବ କି ତିନିଟି ବିଲ ? ସମ୍ବିଧାନ ସଂଶୋଧନ ବିଲ ପାସ କରିବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏଥିପାଇଁ ଦୁଇତୃତୀୟାଂଶ ସଂଖ୍ୟା ଆବଶ୍ୟକ । ଲୋକସଭାରେ ସରକାରଙ୍କୁ ଅତି କମରେ ୩୬୦ରୁ ୩୬୨ ଜଣ ସାଂସଦଙ୍କ ସମର୍ଥନ ଜରୁରୀ ।
କିନ୍ତୁ ଏନଡିଏ ନିକଟରେ ମାତ୍ର ୨୯୩ ସଦସ୍ୟ ଅଛନ୍ତି । ଅର୍ଥାତ ବିଲ ପାସ କରାଇବା ପାଇଁ ସରକାରଙ୍କୁ ଆହୁରି ଅତିକମରେ ୬୭ରୁ ୭୦ ଜଣ ସାଂସଦଙ୍କ ସମର୍ଥନ ଜରୁରୀ । ଯାହା ବିରୋଧୀଙ୍କ ବିନା ସହଯୋଗରେ ସମ୍ଭବ ନୁହେଁ । ତେଣୁ ଏହାକୁ ଐତିହାସିକ ପଦକ୍ଷେପ କହିବା ସହ ଚିଠି ଲେଖି ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେପଟେ ବିରୋଧୀ ଦଳମାନେ ମହିଳା ସଂରକ୍ଷଣକୁ ସମର୍ଥନ କରୁଥିଲେ ମଧ୍ୟ କିଛି ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି
