ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ସାଢେ ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଶୁକ୍ରବାର ରାତିରେ ଲୋକସଭାରେ କାଟ୍ ଖାଇଥିବା ମହିଳା ସଂରକ୍ଷଣ ସମ୍ବନ୍ଧିତ ସମ୍ବିଧାନ ସଂଶୋନ ବିଧେୟକ ଉପରେ ମତବ୍ୟକ୍ତ କରି ପାରନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ସମଗ୍ର ଦେଶ ଏହି ସମ୍ବୋଧନ ଉପରେ ନଜର ରଖିଛି ।
କେନ୍ଦ୍ର ସରକାର ଲୋକସଭାରେ ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍ ପାସ୍ କରାଇପାରିଲେ ନାହିଁ । ଯାହା ଲୋକସଭାରେ ଆସନ ବୃଦ୍ଧି କରିବା ପାଇଁ ଅଣାଯାଇଥିଲା । ଏଥିରେ ସଂସଦର ଆସନ ୫୪୩ରୁ ୮୫୦ କୁ ବୃଦ୍ଧି କରିବାର ବ୍ୟବସ୍ଥା ଥିଲା । ୨୧ ଘଣ୍ଟା ଆଲୋଚନା ପରେ ଲୋକସଭାରେ ବିଲ୍ ଉପରେ ଭୋଟିଂ ହୋଇଥିଲା । ୫୨୮ ଜଣ ସାଂସଦ ସେମାନଙ୍କର ଭୋଟ ଦେଇଥିଲେ । ସପକ୍ଷରେ ୨୯୮ ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ ୨୩୦ ଜଣ ଭୋଟ ଦେଇଥିଲେ । ତଥାପି, ବିଲ୍ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା ।
ସରକାର ଲୋକସଭାରେ ତିନୋଟି ବିଲ୍ ଆଗତ କରିଥିଲେ। ଏଥିରେ ସମ୍ବିଧାନ ସଂଶୋଧନ ବିଲ୍, ସମ୍ବିଧାନ ବିଲ୍ ୨୦୨୬ର ସୀମା ନିର୍ଦ୍ଧାରଣ ସଂଶୋଧନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ବିଲ୍ ୨୦୨୬ ଅନ୍ତର୍ଭୁକ୍ତ ।
