ସାଢେ ୭ କୋଟିରେ ବିକ୍ରି ହେଲା ଟାଇଟାନିକ ଜାହାଜର ଲାଇଫ ଜ୍ୟାକେଟ୍ । ଇଂଲଣ୍ଡର ୱିଲ୍ଟସାୟାରର ପ୍ରସିଦ୍ଧ ନିଲାମ ସଂସ୍ଥା ‘ହେନେରୀ ଆଲଡ୍ରିଜ୍ ଆଣ୍ଡ୍ ସନ୍’ ଦ୍ୱାରା ଜ୍ୟାକେଟର ନିଲାମ କରାଯାଇଛି। ଜ୍ୟାକେଟକୁ ୬ ଲକ୍ଷ ୭୦ ହଜାର ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପ୍ରାୟ ୭.୪ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏହି ଲାଇଫ୍ ଜ୍ୟାକେଟ୍ ଟି ପ୍ରଥମ ଶ୍ରେଣୀର ବ୍ରିଟିଶ୍ ଯାତ୍ରୀ ଲୌରା ମେବଲ୍ ଫ୍ରାନ୍ କାଟେଲି ଙ୍କର ଥିଲା।
ସେ ଜଣେ ବ୍ୟକ୍ତିଗତ ସଚିବ ଥିଲେ ଏବଂ ୧୯୧୨ ମସିହା ଦୁର୍ଘଟଣା ସମୟରେ ରକ୍ଷା ପାଇଯାଇଥିଲେ। କର୍କ ଓ କାନଭାସ୍ ନିର୍ମିତ ଜ୍ୟାକେଟ୍ ରେ ଫ୍ରାନ୍ କାଟେଲି ଏବଂ ଅନ୍ୟ ୭ ଜଣ ବଞ୍ଚିଥିବା ଯାତ୍ରୀଙ୍କ ସ୍ୱାକ୍ଷର ରହିଛି, ଯାହା ଜ୍ୟାକେଟକୁ ଅତ୍ୟନ୍ତ ମୂଲ୍ୟବାନ କରିଛି।
ଜ୍ୟାକେଟର ମୂଲ୍ୟ ୨ ଲକ୍ଷ ୫୦ରୁ ୩ ଲକ୍ଷ ୫୦ ହଜାର ପାଉଣ୍ଡ ମଧ୍ୟରେ ରହିବ ବୋଲି ଆଶା କରାଯାଉଥିଲା, କିନ୍ତୁ ବିଶ୍ୱବ୍ୟାପୀ ଆଗ୍ରହ ଯୋଗୁଁ ଏହା ପ୍ରାୟ ଦୁଇଗୁଣା ଦାମ୍ ରେ ବିକ୍ରି ହୋଇଛି। ସେହିପରି ନିଲାମରେ ଏକ ଲାଇଫ୍ ବୋଟ୍ ର ସିଟ୍ କୁଶନ ମଧ୍ୟ ପ୍ରାୟ ୩ ଲକ୍ଷ ୯୦ ହଜାର ପାଉଣ୍ଡ ବା ୪ କୋଟି ୮୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।
